ସାବିତ୍ରୀ ଅମାବାସ୍ୟା : ସ୍ଵାମୀଙ୍କ ଦୀର୍ଘାୟୁ ମନାସି ବ୍ରତ ପାଳୁଛନ୍ତି ସଧବା

You are currently viewing ସାବିତ୍ରୀ ଅମାବାସ୍ୟା : ସ୍ଵାମୀଙ୍କ ଦୀର୍ଘାୟୁ ମନାସି ବ୍ରତ ପାଳୁଛନ୍ତି ସଧବା

ଅନୁଗୁଳ: ଆଜି ପବିତ୍ର ସାବିତ୍ରୀ ବ୍ରତ। ଏହାକୁ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ପାଳନ କରାଯାଏ। ସଧବା ନାରୀମାନେ ଅଖଣ୍ଡ ସୌଭାଗ୍ୟ ଓ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଥାନ୍ତି। ଏହି ଦିନ ମହିଳାମାନେ ଉପବାସ ରଖନ୍ତି। ସାବିତ୍ରୀ ବ୍ରତରେ ଦେବୀ ସାବିତ୍ରୀ, ଯମଦେବତା ଓ ସତ୍ୟବାନଙ୍କୁ ପୂଜା କରାଯାଏ । ପୁରାଣ କାହାଣୀ ଅନୁସାରେ, ଯମରାଜା ଆସି ସତ୍ୟବାନଙ୍କ ପ୍ରାଣ ନେବା ସମୟରେ ସାବିତ୍ରୀ ନିଜ ବୁଦ୍ଧି ଓ ସତୀତ୍ବ ବଳରେ ଯମରାଜଙ୍କ ଠାରୁ ନିଜ ସ୍ବାମୀଙ୍କ ପ୍ରାଣ ଫେରି ପାଇଥିଲେ। ଏହାବାଦ୍ ଏହି ପୂଜାରେ ବର ଗଛ ପୂଜାର ବିଶେଷ ମହତ୍ତ୍ବ ରହିଛି। ଓଡ଼ିଆ ଘରର ପରମ୍ପରା ଅନୁସାରେ, ବ୍ରତ ପାଇଁ ସମସ୍ତ ଜିନିଷ ମହିଳାଙ୍କ ବାପଘରୁ ଆସିଥାଏ। ଯାହା ସାବିତ୍ରୀ ଭାର ନାମରେ ଜଣାଶୁଣା।

ଏହି ପୂଜାର ଆରାଧ୍ୟ ଦେବୀ ହେଉଛନ୍ତି ମା’ ସାବିତ୍ରୀ। ସ୍ୱାମୀଙ୍କର ନିରାମୟ ଜୀବନ ତଥା ମଙ୍ଗଳ କାମନା କରି ସଧବା ନାରୀମାନେ ସାବିତ୍ରୀ ବ୍ରତ ପାଳନ କରିବାର ପ୍ରଥା ରହିଛି । ଅନ୍ନ ଜଳ ସ୍ପର୍ଶ ନ କରି ସଧବା ନାରୀମାନେ ଏହି ବ୍ରତ ପାଳନ କରି ସ୍ୱାମୀଙ୍କୁ ପୂଜା କରିବାର ପରମ୍ପରା ରହିଛି । ଚଉଁରା ମୂଳ, ଠାକୁର ଘର ଏବଂ ବରଗଛରେ ସଧବା ନାରୀମାନେ ଏହି ପୂଜା କରିଥାନ୍ତି। ନୂଆ ଶାଢ଼ି ସହିତ ଶଙ୍ଖା, ସିନ୍ଦୂର ଏବଂ ଅଳତାକୁ ପୂଜା କରନ୍ତି। ଏହାବାଦ୍ ନଡ଼ିଆ, ଖଜୁରି, ତାଳ, ଆମ୍ବ, ପଣସ, ଲିଚୁ ଆଦି ଭୋଗ ଲାଗି କରନ୍ତି। ସ୍ବାମୀଙ୍କ ଦୀର୍ଘ ଆୟୂଷ ପାଇଁ ଏହି ବ୍ରତରେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ। ସଧବା ନାରୀମାନେ ଏହି ବ୍ରତକୁ ନିଷ୍ଠାର ସହ ପାଳନ କରନ୍ତି। ପୂଜା ଶେଷ ପରେ ଫଳାହାର କରନ୍ତି।

ବରଗଛର ବିଭିନ୍ନ ଶାଖାରେ ଭିନ୍ନ ଭିନ୍ନ ଦେବତା ବାସ କରୁଥିବା ବିଶ୍ବାସ ରହିଛି। ସାବିତ୍ରୀ ଅମାବାସ୍ୟାରେ ବରଗଛକୁ ପୂଜା କରିବା ବିଧି ଅଛି। ପୌରାଣିକ କାହାଣୀ ଅନୁସାରେ, ସାବିତ୍ରୀ ପତିବ୍ରତା ଧର୍ମ ପାଳନ କରି ନିଜ ସ୍ବାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ। ଯୁବାବସ୍ଥାରେ ସତ୍ୟବାନଙ୍କ ମୃତ୍ୟୁ ହୋଇଥିଲା। ସେଇଠୁ ସାବିତ୍ରୀ ମୃତ୍ୟୁ ଦେବତା ଯମରାଜଙ୍କୁ ନିଜ ସ୍ବାମୀଙ୍କ ଜୀବନ ମାଗିଥିଲେ। ସେ ଭକ୍ତି ଓ ନିଷ୍ଠାର ସହ ଯମରାଜଙ୍କୁ ପ୍ରସନ୍ନ କରି ସତ୍ୟବାନଙ୍କୁ ମୃତ୍ୟୁ କବଳରୁ ଫେରାଇ ଆଣିବାରେ ସଫଳ ହୋଇଥିଲେ। ସାବିତ୍ରୀ ବରଗଛ ତଳେ ହିଁ ନିଜ ସ୍ବାମୀଙ୍କ ଜୀବନ ଫେରି ପାଇଥିଲେ। ଏହି କାରଣ ଯୋଗୁଁ ଏହିଦିନ ବରଗଛ ପୂଜାର ପରମ୍ପରା ଥିବା କୁହାଯାଏ।

Share

Leave a Reply