ଅନୁଗୁଳ: ଧନୀଠାରୁ ଗରିବ ସମସ୍ତଙ୍କ ଘରେ ଆଳୁ ଯେମିତି ଏକ ନିତିଦିନିଆ ପରିବା। ସେହିପରି ଟମାଟୋ ମଧ୍ୟ ପ୍ରତିଟି ପରିବାରର ହାଣ୍ଡିଶାଳରେ ନିୟମିତ ଆବଶ୍ୟକ ହୋଇଥାଏ। ଶ୍ରାବଣ ମାସ ଚାଲୁଥିବା କାରଣରୁ ପରିବା ବଜାରର ଦର ଉଚ୍ଚା ରହିଥିବା ବେଳେ ଦୁଇଦିନ ହେବ ଟମାଟୋ ଦର ୫୦ ଛୁଇଁଛି। ଏଭଳି ସମୟରେ ଲୋକେ ଖାଇବେ କଣ ବୋଲି ମୁଣ୍ଡରେ ହାତ ଦେଇଛନ୍ତି। ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଟମାଟୋ ବା ବିଲାତି ବାଇଗଣର ଚାଷ ହେଉନଥିବା କାରଣରୁ ସମସ୍ତ ଟମାଟୋ ବାହାର ରାଜ୍ୟରୁ ଆମଦାନୀ ହେଉଛି। ପ୍ରତିଦିନ ଅନୁଗୋଳ ଜିଲ୍ଲାକୁ ପଡୋଶୀ ରାଜ୍ୟର ନାସିକ, ରାୟପୁର ଆଦି ସହରରୁ ଏହି ସବୁ ପନିପରିବା ଆସିଥାଏ। ତେବେ କୌଣସି କାରଣରୁ ଏହାର ଦର ହଠାତ ପରିବର୍ତ୍ତନ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।
ତେବେ ରାଜ୍ୟ ତଥା ରାଜ୍ୟ ବାହାରୁ ଆମଦାନୀ ହେଉଥିବା ସମସ୍ତ ଖାଦ୍ୟ ପଦାର୍ଥ ଉପରେ ଜିଲା ବେସାମରିକ ଯୋଗାଣ ବିଭାଗର ନିୟନ୍ତ୍ରଣ ରହିଥାଏ। ବ୍ୟବସାୟୀ ଅଧିକ ମୁନାଫା କମାଇବା ପାଇଁ ଯେଭଳି ସାଧାରଣ ଲୋକ ହଇରାଣ ନହୁଅନ୍ତି ସେ ନେଇ ବିଭାଗ କାର୍ଯ୍ୟ କରିଥାଏ। କାହିଁକି ହଠାତ ପରିବା ବଜାରରେ ଏପରି ପରିବର୍ତ୍ତନ ହୋଇଛି ଏନେଇ ଜିଲା ବେସାମରିକ ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରିବା ପରେ ଫୋନ ଉଠାଇନଥିବା କାରଣରୁ କୌଣସି ମତାମତ ମିଳିପାରିନଥିଲା।