ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପ୍ରକ୍ରିୟାକରଣ ନେଇ ମହିଳାଙ୍କୁ ତାଲିମ

You are currently viewing ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପ୍ରକ୍ରିୟାକରଣ ନେଇ ମହିଳାଙ୍କୁ ତାଲିମ

ଅନୁଗୁଳ: ସ୍ବେଚ୍ଛାସେବୀ ସଂଗଠନ ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ୍ ଏବଂ ଜାତୀୟ ତାପଜ ବିଦ୍ୟୁତ୍ ସଂସ୍ଥା ଏନ୍‌ଟିପିସି କଣିହାଁ ତରଫରୁ ମାଣ୍ଡିଆରୁ ପ୍ରସ୍ତୁତ ବ୍ୟଞ୍ଜନ ଉପରେ ୧୫ ଦିନିଆ ତାଲିମ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ମଲ୍ଟି ସ୍କିଲ ତାଲିମ୍ ଗୃହ ଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ଏନ୍‌ଟିପିସି କଣିହାଁର ନିର୍ଦ୍ଦେଶକ ଏକେ ସେହେଗଲ ଉଦଘାଟନ କରିବା ସହ ମାଣ୍ଡିଆରୁ କିପରି ସଦସ୍ୟାଙ୍କ ଆର୍ଥିକ ଉନ୍ନତି ହେବ ସେ ବାବଦରେ ବୁଝାଇଥିଲେ। କାର୍ଯ୍ୟକ୍ରମରେ ମାନବ ସମ୍ବଳ ବିକାଶ ଅଧିକାରୀ ନବନୀତ କୁମାର, ସୁଜାତା ରଥ, ଜିତେନ୍ଦ୍ର କୁମାର, ସାଗ୍ନିକ ବାଲକୀ, ଭୀଷ୍ମ ନାଏକ ପ୍ରମୁଖ ଯୋଗଦାନ କରିଥିଲେ।

ପ୍ରାରମ୍ଭରେ ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ୍ କାର୍ଯ୍ୟ ନିର୍ବାହୀ ଅଧିକାରୀ ବୁଦ୍ଧଦେବ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ବହ୍ଲରଛକ ସ୍ଥିତ ମମତା ଉଦ୍ୟୋଗର ଉଦ୍ୟୋଗବିତ୍ ମମତାରାଣୀ ବିଶିମାଝୀ, ତାଙ୍କ ସହଯୋଗୀ ସନ୍ଦୀପ୍ତା ବୀରବର୍ମା, ପ୍ରଭାତୀ ସାହୁ, ଲଜିତା ମହାପାତ୍ର ପ୍ରମୁଖ ମାଣ୍ଡିଆରୁ ବିସ୍କୁଟ, ମିକ୍ସଚର୍, ଲଡୁ, ଆରିସା, ମୋମୋ, ବିରିୟାନୀ, ନିମ୍‌କୀ, କେକ୍, ରୋଜ କେକ୍, ବରା, ପକୁଡ଼ି, ରୁଟି, ପରଟା, ପୁରି, ଉପମା, ଲସି ଆଦି ବ୍ୟଞ୍ଜନ ଉପରେ ମଧ୍ୟ ସଦସ୍ୟାଙ୍କୁ ବିଭିନ୍ନ ପ୍ରକାରର ଯନ୍ତ୍ରପାତି ଦ୍ୱାରା ତାଲିମ୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଲକ୍ଷ୍ମୀ ଖାଲକୋ, ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ସହିତ ୩୦ ଜଣ ସଦସ୍ୟା ଭାଗ ନେଇଥିଲେ।

ଅନ୍ୟତମ ଅତିଥିଭାବେ ଡାଫଡିଲ୍ ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ସହ ଅନୁଷ୍ଠାନର ସୂର୍ଯ୍ୟ ବେହେରା, ମହାଦେବ ଦାସ, ମନୋରଞ୍ଜନ ସ୍ଵାଇଁ ଏବଂ ପ୍ରଦ୍ୟୁମ୍ନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ଅଂଶଗ୍ରହଣକାରୀଙ୍କୁ ମାନପତ୍ର, କାନଭାସ୍, ବ୍ୟାଗ୍, ଆଫ୍ରୋନ, ହେଡମାକ୍ସ, ଗ୍ଲୋଭସ୍ ଆଦି ପ୍ରଦାନ କରାଯାଇଥିଲା।

Share

Leave a Reply