ଡାକ୍ତରଙ୍କ ଦ୍ୱାରା ବୃକ୍ଷରୋପଣ ଓ ସ୍ୱାସ୍ଥ୍ୟ ସଚେତନତା ଶିବିର

You are currently viewing ଡାକ୍ତରଙ୍କ ଦ୍ୱାରା ବୃକ୍ଷରୋପଣ ଓ ସ୍ୱାସ୍ଥ୍ୟ ସଚେତନତା ଶିବିର

ଅନୁଗୁଳ: ଗତ ଡିସେମ୍ବର ୩ ତାରିଖରେ ଅନୁଗୁଳ ଜିଲ୍ଲାର ପୁରୁଣାକଟକଠାରେ ସ୍ୱେଚ୍ଛାସେବୀ ସଂଗଠନ ଚେତନା ମିଶନ ଏବଂ ବରିଷ୍ଠ ଡାକ୍ତରମାନଙ୍କ ମିଳିତ ଆନୁକୂଲ୍ୟରେ ଏକ ବୃକ୍ଷରୋପଣ ଏବଂ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଚେତନା ମିଶନର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ବାଣୀ ଦେବ, ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ସୁସ୍ମିତା ସାହୁ, ବରିଷ୍ଠ ଚର୍ମରୋଗ ବିଶେଷଜ୍ଞ ଡ. ବିଛନ୍ଦ ଚରଣ ପ୍ରଧାନ ଏବଂ ଅବସରପ୍ରାପ୍ତ ବରିଷ୍ଠ ଡାକ୍ତର ଡ. ସୁଷମା ଚୌଧୁରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ପ୍ରଥମେ ବୃକ୍ଷରୋପଣ ପରେ, ପୁରୁଣାକଟକସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଅପରାହ୍ନରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା ଓ ଧନ୍ଦାମୂଳକ ଶିକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ଅବସରରେ ଡ. ସୁସ୍ମିତା ସାହୁ ‘ଋତୁବାନ୍ଧବୀ’ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀମାନଙ୍କୁ ମାସିକ ଋତୁସ୍ରାବ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସଚେତନତା ଶିକ୍ଷା ଦେଇଥିଲେ। ଡ. ବିଛନ୍ଦ ପ୍ରଧାନ ଚର୍ମର ଯତ୍ନ, ସାଧାରଣ ଚର୍ମରୋଗ, ଡିଆଁ ରୋଗ, ଉପଯୁକ୍ତ ଖାଦ୍ୟ ଏବଂ ପରିଚ୍ଛନ୍ନତାର ଆବଶ୍ୟକତା ବିଷୟରେ ବୁଝାଇଥିଲେ। ଡ. ସୁଷମା ଚୌଧୁରୀ ସୁସ୍ଥ ଜୀବନ ଶୈଳୀ, ଶରୀରର ଯତ୍ନ, ବ୍ୟାୟାମ ଓ ପରିଚ୍ଛନ୍ନତା ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ।

ଚେତନା ମିଶନର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ବାଣୀ ଦେବ ଛାତ୍ରଛାତ୍ରୀମାନଙ୍କୁ ସ୍ୱଳ୍ପ ପୁଞ୍ଜି ନିବେଶରେ ଉନ୍ନତ ରୋଜଗାର ଏବଂ ସରକାରୀ ଅନୁଷ୍ଠାନଗୁଡ଼ିକରେ ଧନ୍ଦାମୂଳକ ଶିକ୍ଷା ମାଧ୍ୟମରେ କିପରି ସ୍ୱାବଲମ୍ବୀ ହୋଇପାରିବେ, ସେ ବିଷୟରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ସମସ୍ତ ସନ୍ଦେହ ଦୂର କରାଯାଇଥିଲା।

Share

Leave a Reply