ଅନୁଗୁଳ: ଅନୁଗୁଳ ଜିଲ୍ଲା ତୁକୁଡାଠାରେ ସହିଦ-ଏ-ଆଜମ୍ ଭଗତ ସିଂଙ୍କ ସହିଦ ଦିବସ ଅବସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଛି। ତୁକୁଡା ରାଜସଂସ୍କାର କମିଟି ଏବଂ ଡି.ଓ୍ବାଇ.ଓ.ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବ ସଂଗଠକ ସୁମନ୍ତ ସାହୁ ପରିଚାଳନା କରିଥିଲେ। ସଭା ପ୍ରାରମ୍ଭରେ ଅତିଥିମାନେ ଭଗତ ସିଂଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏଥିରେ ଡି.ଓ୍ବାଇ.ଓ. ଜିଲ୍ଲା ସଭାପତି ନିରଞ୍ଜନ ନାୟକ ଏବଂ ମୁଖ୍ୟବକ୍ତା ଭାବେ ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ନେତା ନବକିଶୋର ପ୍ରଧାନ ଯୋଗ ଦେଇଥିଲେ। ବକ୍ତାମାନେ ଭାରତର ମୁକ୍ତି ସଂଗ୍ରାମରେ ଭଗତ ସିଂଙ୍କ ଅତୁଳନୀୟ ବୈପ୍ଳବିକ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସାମ୍ପ୍ରତିକ ସମାଜରେ ବଢୁଥିବା ଅନ୍ୟାୟ, ଶୋଷଣ ଓ ସାମ୍ପ୍ରଦାୟିକତା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ଯୁବପିଢ଼ିଙ୍କୁ ଆହ୍ଵାନ ଦିଆଯାଇଥିଲା। ବିଶେଷ କରି ଯୁବ ସମାଜକୁ ବିଭ୍ରାନ୍ତ କରୁଥିବା ନିଶାଦ୍ରବ୍ୟ ସେବନଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥିଲା। ଏହି ଅବସରରେ ରାଜସଂସ୍କାର କମିଟି ସଭାପତି ରବୀନ୍ଦ୍ର କୁମାର ସାହୁ ଓ ସମ୍ପାଦକ ବ୍ୟାସଦେବ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ସଭ୍ୟମାନଙ୍କ ସମେତ ସ୍ଥାନୀୟ ବହୁ ସଂଖ୍ୟକ ଯୁବକ ସାମିଲ ହୋଇ ସହିଦଙ୍କ ପ୍ରତି ସମ୍ମାନ ଜଣାଇଥିଲେ। ଏହି ସଭାଟି ଅଞ୍ଚଳରେ ଦେଶପ୍ରେମର ଏକ ନୂତନ ଚେତନା ସୃଷ୍ଟି କରିବାରେ ସଫଳ ହୋଇଥିଲା।
ସହିଦ-ଏ-ଆଜମ୍ ଭଗତ ସିଂଙ୍କୁ ଶ୍ରଦ୍ଧାଞ୍ଜଳି: ଯୁବସମାଜକୁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ
- Post published:March 23, 2026
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
Tags: Angul



