ନୂଆ ବର୍ଷର ଦୁଇ କାହାଣୀ…

You are currently viewing ନୂଆ ବର୍ଷର ଦୁଇ କାହାଣୀ…

ସତ୍ୟାନାଶ ରାଉତବାବୁ ଗୋଟେ କମ୍ପାନୀରେ ଚାକିରି କରନ୍ତି। ପରିବାରରେ ପିଲାମାନେ ଓ ସ୍ତ୍ରୀ। ଯେତେବେଳେ ସେ ତାଙ୍କ ଘରକୁ ଫେରନ୍ତି ଗୋଟେ ବୁଲା କୁକୁର ତାଙ୍କ ବାଟ ଓଗାଳି ଠିଆ ହୋଇଥାଏ। ମାଈ କୁକୁର ଟାର ନାଁ ଗେଲହି। ଖାଇବାକୁ ଦିଅ ନଦିଅ ସେମିତି ବାଟ ଜଗିଥିବ। ଗେଲହି ଏବେ ମା ହେଇଛି। ଦୁଇଟି ଛୁଆର ମା,ଗୋଟେ ପୁଅ ଗୋଟେ ଝିଅ। ରାଉତ ବାବୁଙ୍କ ପିଲାମାନେ କୁକୁର ଛୁଆ ସହ ଖେଳନ୍ତି କ୍ଷୀର ବିସ୍କୁଟ ଦିଅନ୍ତି। ଗେଲହିର ଦିନ ଖୁସିରେ କଟୁଥାଏ। କିନ୍ତୁ ସବୁଦିନ ସମାନ ନ ଥାଏ। ଗଲା କାଲି ଡିସେମ୍ବର ୩୧। ନୂଆ ବର୍ଷରୁ ଆଉ ମଦ ପିଇବି ନାହିଁ କହି ସନ୍ଧ୍ୟାରୁ ଟାଙ୍କିଏ ପିଇ ଥିବା ଠିକାଦାରଟି ରାତିରେ ଘରକୁ ଫେରିଲାବେଳେ ଗେଲହି ଉପରେ ଗଡ଼ି ଚଢାଇ ଦେଲା। ଗେଲହି ଛିଟିକି ହୋଇ ପଡିଲା । ଦୁଇ ପୁଅ ଝିଅ କିଛି ବୁଝି ପାରିଲେ ନାହିଁ। ସେ ଦୁହେଁ ଶୀତ ଯୋଗୁଁ ମା ଉପରେ ପେଟେଇ ପଡି ଶୋଇଲେ। ରାତି ବଢ଼ୁଥିଲା। ଗେଲହିର ଦେହ ନିସ୍ତେଜ ହେଇ ଆସୁଥିଲା।ପାଖରେ କ୍ଲବ ପିଲାଙ୍କ ଡିଜେ ବାଜୁ ଥିଲା। ଗେଲହିର ଯନ୍ତ୍ରଣା ଥଣ୍ଡା ପବନରେ କୁଆଡେ ମିଳେଇ ଯାଉଥିଲା। ସକାଳ ହେଲା। ନୂଆ ବର୍ଷର ମେଘୁଆ ସକାଳ। ରାଉତ ବାବୁଙ୍କ ସ୍ତ୍ରୀ କବାଟ ଫିଟାଇ ଦେଖିଲେ – ଆରେ ଗେଲହିକୁ କିଏ ଧକ୍କା ଦେଇ ମାରିଦେଇଛି। ଅବୁଝା ଛୁଆ ଦି ଟା ତାର ମା ଦେହରେ ଘଷି ହେଉଛନ୍ତି,ସତେ ଯେମିତି କହୁଛନ୍ତି ମା ଉଠ ମା ଉଠ। ଏହି ସମୟରେ ସୁଇପର ଠେଲା ଧରି ଦୁଇ ଛୁଆଙ୍କୁ ହଟେଇ ମା ର ଶବକୁ ନେଇଗଲା। ରାଉତ ବାବୁଙ୍କ ସ୍ତ୍ରୀଙ୍କ ଆଖିରେ ଲୁହ ଜକେଇ ଆସୁଥିଲା। ନିଶା ଛାଡିବା ପରେ ସକାଳୁ ସକାଳୁ ଆଇଁସ ମାର୍କେଟ ବାହାରିଥିବା ଠିକାଦାର କହିଲା ” ସତ୍ୟାନାଶ ହେଇଗଲା ସକାଳଟା। ଘରୁ ବାହାରୁ ବାହାରୁ ଆକ୍ସିଡେଣ୍ଟର ଦୃଶ୍ୟ”!

Share

Leave a Reply