ଅନୁଗୁଳ: ଲୋକସଭା ପ୍ରବାସ ଯୋଜନାରେ ମହା ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଦୁଇଦିନିଆ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ। ଏ ଅବସରରେ ସେ ସାମାଜିକ ଗଣମାଧମ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇଥିଲେ।
ପ୍ରଥମେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାୟ ବିଜେପିର ବରିଷ୍ଠ ନେତା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ତାଳଚେର ପୌର ମଣ୍ଡଳର ପ୍ରଭାରୀ ପୁଲିନ ବିହାରୀ ନାୟକଙ୍କ ବିୟୋଗରେ ଅନୁଷ୍ଠିତ ଶୋକ ସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ସେ କହିଥିଲେ, ମୋଦି ସରକାରଙ୍କ ଶାସନରେ ଓଡ଼ିଶା ବିଶେଷ ଭାବେ ଲାଭାନ୍ବିତ ହୋଇଛି। ଅନୁଗୁଳ ଜିଲ୍ଲାକୁ ମୋଦି ସରକାର ନଅ ବର୍ଷରେ ଷାଠିଏ ହଜାର କୋଟି ଟଙ୍କା ବିଭିନ୍ନ ଯୋଜନାରେ ପ୍ରଦାନ କରିଛନ୍ତି। ମୋଦି ସରକାରଙ୍କ ସଫଳତାକୁ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ପ୍ରଚାର ପ୍ରସାର କରିବାକୁ ସେ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ।
ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ, ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ଲୋକସଭା ସଂଯୋଜକ ପ୍ରେମାନନ୍ଦ ଜେନା, ବିସ୍ତାରକ ଅମୃତ ରଞ୍ଜନ ସ୍ୱାଇଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ପ୍ରତିମା ମିଶ୍ର ପ୍ରମୁଖଙ୍କ ସମେତ ସାମାଜିକ ଗଣମାଧ୍ୟମର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।