ଅନୁଗୁଳ: ଶସ୍ତାରେ ଛେନାପୋଡ଼ ଖାଇବାକୁ ନେଇ ଘଟିଲା ତୁମୁଳକାଣ୍ଡ । ଜଳଖିଆ ଦୋକାନୀଙ୍କୁ ବିଧା, ଗୋଇଠା ମାଡ଼ ; ଅଶ୍ରାବ୍ୟ ଭାଷାରେ ଗାଳି । ଏତିକିରେ ରାଗ ଶାନ୍ତ ହେଲାନି ଯେ, ଦୋକାନରୁ ମିଠା ଫିଙ୍ଗିଦେଲେ ଗ୍ରାହକ । ଶନିବାର ସନ୍ଧ୍ୟାରେ ଅନୁଗୁଳ ଥାନା ନିକଟ ଏକ ହୋଟେଲରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏନେଇ ଥାନାରେ ଅଭିଯୋଗ ହେବା ପୁଲିସ୍ ତଦନ୍ତ ଚଳାଇଛି। ପ୍ରାପ୍ତ ସୂଚନା ମୁତାବକ, ଅନୁଗୁଳ ଥାନା ନିକଟରେ ଅଶୋକ ଶର୍ମାଙ୍କ ଏକ ହୋଟେଲ୍ ରହିଛି ।
ଶନିବାର ସନ୍ଧ୍ୟାରେ ତାଙ୍କ ହୋଟେଲ୍ରେ ସଦର ଥାନା ଇଲାକା ଇଙ୍କରବନ୍ଧ ଗ୍ରାମର ଜଣେ ଯୁବକ ପହଞ୍ଚି ଛେନାପୋଡ଼ ଦାମ୍ ପଚାରିଥିଲେ । ଶହେ ଗ୍ରାମକୁ ୩୦ ଟଙ୍କା ବୋଲି ଅଶୋକ କହିବାରୁ ସବୁଠି ଶହ ୨୫ ଟଙ୍କାରେ ମିଳୁଛି, ତମେ କାହିଁକି ଚଢ଼ା ଦର ବୋଲି ଯୁକ୍ତି କରିଥିଲେ ସଂପୃକ୍ତ ଗ୍ରାହକ। ଯେଉଁଠି ୨୫ ଟଙ୍କାରେ ମିଳୁଛି ସେଇଠି ଯାଇ ଖାଇବାକୁ କହିଥିଲେ ଅଶୋକ । ଏତିକିରେ ଗ୍ରାହକ ଜଣକ ରାଗି ଯାଇଥିଲେ । ଅଶୋକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ବିଧା ଗୋଇଠା ମାରି ପକାଇଥିଲେ। ଏ ନେଇ ରାତିରେ ଅନୁଗୁଳ ଥାନା ପୁଲିସର ଦ୍ୱାରସ୍ଥ ହୋଇଥିଲେ ଅଶୋକ ।