ଅନୁଗୁଳ: ଅନୁଗୁଳ ବ୍ଲକ ବାଳୁଅକଟା ପଞ୍ଚାୟତର ଶାବଳଭଙ୍ଗା ଗାଁର କୁମ୍ଭାରସାହିବାସୀ ଉତ୍କଟ ପାନୀୟ ଜଳ ସମସ୍ୟା ନେଇ ସୋମବାର ଦାବି ପ୍ରଦାନ କରିଛନ୍ତି। ବିଡିଓଙ୍କ ଅନୁପସ୍ଥିତିରେ ଗାଁ ଲୋକେ ଏବିଡିଓଙ୍କୁ ଦାବିପତ୍ର ଦେଇଛନ୍ତି।
ଗାଁ ଲୋକଙ୍କ ଅଭିଯୋଗ ମୁତାବକ, ଶାବଳଭଙ୍ଗାର କୁମ୍ଭାର ସାହିମୁଣ୍ଡରେ ଥିବା ନଳକୂପ ଉପରେ ସାହିବାସୀଙ୍କ ସମେତ ଆଖପାଖ ବସ୍ତିବାସିନ୍ଦା ପିଇବା ପାଣି ପାଇଁ ନିର୍ଭର କରନ୍ତି। ମାତ୍ର ଏହି ନଳକୂପକୁ ତଞ୍ଚକତା କରି ଶାବଳଭଙ୍ଗା(କ) ଅଙ୍ଗନୱାଡି ଏବଂ ଶାବଳଭଙ୍ଗା(ଖ) ଅଙ୍ଗନୱାଡି ଉକ୍ତ ନଳକୂପକୁ ମିଥ୍ୟା ବିଲ୍ କରି ସୋକପିଟ୍ ନିର୍ମାଣ କରିବା ସହ ଅର୍ଥ ଆତ୍ମସାତ କରିଛନ୍ତି। ଏଥିସହ ଏହି ନଳକୂପକୁ ଅଙ୍ଗନୱାଡି ନଳକୂପ ବୋଲି ଦର୍ଶାଇ ପାଚେରୀ ନିର୍ମାଣ ପାଇଁ ଉଦ୍ୟମ କରୁଛନ୍ତି। ଏହା ଫଳରେ ନଳକୂପ ଉପରେ ନିର୍ଭର କରୁଥିବା ସାହି ଲୋକମାନେ ପିଇବା ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବେ।
ଅନ୍ୟପଟେ ରାଜ୍ୟ ସରକାର ୨୦୨୨ ମସିହା ଭିତରେ ସମସ୍ତ ଗାଁ, ସାହି, ପଡାକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଘୋଷଣା କରିଥିଲେ ମଧ୍ୟ ସଦର ମହକୁମା ଠାରୁ ମାତ୍ର ୭ କିଲୋମିଟର ଦୂରରେ ଥିବା ଶାବଳଭଙ୍ଗାର କୁମ୍ଭାରସାହି ବାସିନ୍ଦା ପାଣି ପାଇବାରୁ ବଞ୍ଚିତ ରହିଛନ୍ତି।
ଏଣୁ ସାହିରେ ଥିବା ନଳକୂପକୁ ଅଙ୍ଗନୱାଡି ଦଖଲରୁ ମୁକ୍ତ କରି ଗାଁରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଗାଁ ଲୋକେ ଦାବି କରିଛନ୍ତି।
ଦାବି ପତ୍ର ପ୍ରଦାନ ବେଳେ ଏ.ଆଇ.ଡି.ୱାଇ.ର ଜିଲ୍ଲା ସଭାପତି ନିରଞ୍ଜନ ନାୟକ, ସଂଗଠିକା ଜ୍ୟୋତ୍ସ୍ନା ସାମଲଙ୍କ ନେତୃତ୍ବରେ କୁମ୍ଭାରସାହିର ସୁରେଶ ମୁଦୁଲି, କପିଳ ମୁଦୁଲି, ବଶେଶ୍ଵର ବେହେରା, ପଞ୍ଚୁନାଥ ବେହେରା, କରୁଣାକର ମୁଦୁଲି, ବନମାଳି ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ କରି ପାନୀୟ ଜଳ ସମସ୍ୟା ନେଇ ଆଲୋଚନା କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଦାବି ପୂରଣ ନ ହେଲେ ଗାଁ ଲୋକ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।