ଅନୁଗୁଳ: ଅନୁଗୁଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ “ଆମେ ଜାଣିବା ଆମ ବଜେଟ୍” କାର୍ଯ୍ୟକ୍ରମ ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଏପ୍ରିଲ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ‘ଓଡ଼ିଆ ପକ୍ଷ’ ଅବସରରେ ତୃଣମୂଳ ସ୍ତରରେ ବଜେଟ୍ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।
ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ମହନ୍ତ ସ୍ଵାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। କେନ୍ଦ୍ର ଓ ରାଜ୍ୟ ବଜେଟରେ ଥିବା ବିଭିନ୍ନ ଜନହିତକାରୀ ଯୋଜନାଗୁଡ଼ିକୁ ପଲ୍ଲୀସଭା ଓ ଗ୍ରାମସଭା ମାଧ୍ୟମରେ ସରଳ ଭାଷାରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଯିବ। ଅତିରିକ୍ତ ଜିଲ୍ଲାପାଳ ଏହି ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହଯୋଗ ଲୋଡ଼ିଛନ୍ତି।
ଏହି ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ଗୌରବମୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।



