ଅନୁଗୁଳ: ସଦର ଥାନା ଅନ୍ତର୍ଗତ ଖଲାରୀ ଗାଁ ଜାମୁବନ୍ଧ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ଜଣେ ମହିଳା ତାଙ୍କ ଶାଶୂଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ବିଭତ୍ସ ଭାବେ ହତ୍ୟା କରିଥିବା କୁହାଯାଉଛି। ମୃତ ମହିଳା କୁନି ନାୟକ(୪୭) ବୋଲି ଜଣାପଡିଛି। ଏହି ଘଟଣାରେ ପୋଲିସ ବୋହୂ ଓ ତାଙ୍କ ମା’ଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।
ମିଳିଥିବା ସୂଚନାନୁଯାୟୀ, ବୁଧବାର ରାତି ୧୦ ଘଟିକା ସମୟରେ ଖଲାରୀ ଜାମୁବନ୍ଧ ଛକ ନିକଟରେ ଭଡ଼ା ଘରେ ରହୁଥିବା
କୁନି ନାୟକ ତାଙ୍କ ବୋହୂଙ୍କ ସହ ପାରିବାରିକ ସମସ୍ୟାକୁ ନେଇ ପ୍ରବଳ ଝଗଡା କରିଥିଲେ। ଏହି ଝଗଡା ଆହୁରି ତୀବ୍ର ହୋଇଥିଲା। ପରେ କୁନି ନାୟକଙ୍କୁ ତାଙ୍କ ପୁଅ ଖାଇବାକୁ ଡାକିବା ପାଇଁ ଯାଇଥିଲେ। କବାଟ ଖୋଲି ଦେଖିଲା ବେଳକୁ କୁନି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ। ସଙ୍ଗେ ସଙ୍ଗେ ପୁଅ କାହ୍ନୁ ସଦର ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।
ଆଜି ସକାଳେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ଆସି ଅଧିକ ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କୁନିଙ୍କ ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ ବୋହୂ ଏବଂ ତାଙ୍କ ମା’ଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।


