ବିଧାନସଭା ମହିଳା ଓ ଶିଶୁ ବିକାଶ ଗୃହ କମିଟିର ଅନୁଗୁଳ ଗସ୍ତ

You are currently viewing ବିଧାନସଭା ମହିଳା ଓ ଶିଶୁ ବିକାଶ ଗୃହ କମିଟିର ଅନୁଗୁଳ ଗସ୍ତ

ଅନୁଗୁଳ: ଓଡିଶା ବିଧାନସଭା ମହିଳା ଓ ଶିଶୁ ବିକାଶ ଗୃହ କମିଟିର ଏକ ୬ଜଣିଆ ସଦସ୍ୟ ବିଧାୟିକା ଉଷାଦେବୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଗୁଳ ଜିଲ୍ଲା ଗସ୍ତରେ ଆସି ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ମାନଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଏହି କମିଟିରେ ବିଧାୟିକା ଲତିକା ପ୍ରଧାନ, ବିଧାୟିକା କୁସୁମ ଟେଟେ, ବିଧାୟିକା ସୁନନ୍ଦା ଦାସ, ବିଧାୟିକା ସୂର୍ଯ୍ୟାମଣୀ ବୈଦ୍ୟ, ବିଧାୟିକା ବାସନ୍ତୀ ହେମ୍ବ୍ରମ ପ୍ରମୁଖ ଥିଲେ। ସରକାରଙ୍କ ଦ୍ଵାରା ମହିଳା ଓ ଶିଶୁ ମାନଙ୍କର ସର୍ବାଙ୍ଗୀନ ବିକାଶ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାକୁ ନିଷ୍ଠାରସହ କାର୍ଯ୍ୟକାରୀ କରିବା, ମା’ ଓ ଶିଶୁ ମୃତ୍ୟୁହାର କମାଇବା ନିମନ୍ତେ ଡାକ୍ତରଖାନାରେ ପ୍ରସବ କରାଇବା, ଅପପୁଷ୍ଟିର ଶିକାର ହେଉଥିବା ପିଲାମାନଙ୍କ ପ୍ରତି ବିଶେଷ ଗୁରୁତ୍ଵଦେବାକୁ ଅଧ୍ୟକ୍ଷା ପରାମର୍ଶ ଦେଇଥିଲେ। ପର୍ଯ୍ୟବେକ୍ଷଣ ଗୃହରେ ରହୁଥିବା ଅନ୍ତେବାସୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା କାର୍ଯ୍ୟକ୍ରମକୁ ସଦସ୍ୟାମାନେ ପ୍ରଶଂସା କରିଥିଲେ। ଏଚ୍ଆଇଭି ପ୍ରଭାବିତ ଝିଅମାନଙ୍କୁ ବର୍ଷକୁ ଦିଆଯାଉଥିବା ଅନୁକମ୍ପା ରାଶି ୨ହଜାର ଟଙ୍କା ପରିବର୍ତ୍ତେ ୫ ହଜାର ଟଙ୍କା ଦେବାକୁ ସରକାରଙ୍କୁ ସୁପାରିଶ କରିବାକୁ ସଦସ୍ୟାମାନେ ପରାମର୍ଶ ଦେଇଥିଲେ। ଖଣି ଅଞ୍ଚଳରେ ଛୋଟ ଛୋଟ ପିଲାମାନଙ୍କ ପାଇଁ ସେମାନଙ୍କର ପିତାମାତାଙ୍କ ଅନୁପସ୍ଥିତିରେ ସ୍କେଚ୍‌ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ପ୍ରାରମ୍ଭରେ ଜିଲ୍ଲାପାଳ ଶିଦ୍ଧାର୍ଥ ଶଙ୍କର ସ୍ଵାଇଁ ସ୍ଵାଗତ ଜଣାଇବାସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ମହିଳା ଓ ଶିଶୁ ବିକାଶର ରୂପରେଖ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ଜଗମୋହନ ମୀନା ଏଥିରେ ଯୋଗଦେଇ ପୁଲିସ ତରଫରୁ କଲେଜ ଛାତ୍ରୀ ଓ ମହିଳାମାନଙ୍କ ସୁରକ୍ଷା ପାଇଁ ସହରରେ ସ୍କୁଟି ସାହାଯ୍ୟରେ ପାଟ୍ରୋଲିଙ୍ଗ ବ୍ୟବସ୍ଥା, ସରକାରଙ୍କର ବିଭିନ୍ନ ଯୋଜନାର କାର୍ଯ୍ୟକାରିତାସହ ନିର୍ଭୟା ଯୋଜନା ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ପ୍ରକାଶ କରିଥିଲେ। କମିଟି ସମନ୍ବିତ ଶିଶୁ ସୁରକ୍ଷା ଯୋଜନାରେ ଆଶିର୍ବାଦ ଯୋଜନା, ଶିଶୁ ଯତ୍ନ ଅନୁଷ୍ଠାନ, ପୋଷ୍ୟ ସନ୍ତାନ ଗ୍ରହଣ, ବିଜୁ ଶିଶୁ ସୁରକ୍ଷା ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଆଲମା ବରୁଆ, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଏଲପିଓ ପ୍ରଦୀପ କୁମାର ନାୟକ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ବସନ୍ତ ମଲ୍ଲିକ କମିଟିକୁ ନିଜ ବିଭାଗୀୟ କାର୍ଯ୍ୟକ୍ରମର କାର୍ଯ୍ୟକାରୀତା ସମ୍ପର୍କରେ ଅବଗତ କରିଥିଲେ। ବୈଠକରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇଥିଲେ।

Share

Leave a Reply