ବିବାହ ବେଦୀ ବଦଳରେ ଜେଲ୍‌ ହାଜତ: ପ୍ରେମ ପ୍ରତାରଣା ଅଭିଯୋଗରେ ବର ଗିରଫ

You are currently viewing ବିବାହ ବେଦୀ ବଦଳରେ ଜେଲ୍‌ ହାଜତ: ପ୍ରେମ ପ୍ରତାରଣା ଅଭିଯୋଗରେ ବର ଗିରଫ

ଅନୁଗୁଳ: ପ୍ରେମ ପ୍ରତାରଣାର ଭୟଙ୍କର ପରିଣାମ। ବାହାଘର ପାଇଁ ଘରେ ସାହାନାଇ ବାଜୁଥିଲା, ସବୁଆଡ଼େ ଉତ୍ସବର ମାହୋଲ ଥିଲା, ହେଲେ ଏହି ସମୟରେ ପହଞ୍ଚିଲା ପୋଲିସ। ବିବାହର ଦିନକ ପୂର୍ବରୁ ପ୍ରେମିକାଙ୍କ ଅଭିଯୋଗ ଆଧାରରେ ବରକୁ ଉଠାଇ ନେଇଛି ପୋଲିସ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଅନୁଗୁଳ ସହରରେ।

ଅନୁଗୁଳ ପୁରୁଣା ବସ୍ ଷ୍ଟାଣ୍ଡ ଅଞ୍ଚଳର ଜଣେ ଯୁବ ବ୍ୟବସାୟୀ ତଥା ହୋଟେଲ ମାଲିକ ଲିପୁନ୍ ସାହୁ, ନିଜ ହୋଟେଲର ଜଣେ ମହିଳା କର୍ମଚାରୀଙ୍କ ଝିଅଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଥିଲେ। ବିବାହର ପ୍ରତିଶ୍ରୁତି ଦେଇ ଲିପୁନ୍ ଉକ୍ତ ଯୁବତୀଙ୍କ ସହ ଦୀର୍ଘ ଦିନ ଧରି ଶାରୀରିକ ସମ୍ପର୍କ ରଖିଥିଲେ। ଦୁହେଁ ସ୍ୱାମୀ-ସ୍ତ୍ରୀ ଭଳି ମଧ୍ୟ ରହୁଥିଲେ। ହେଲେ ଯୁବତୀଙ୍କୁ ଅନ୍ଧାରରେ ରଖି ଲିପୁନ୍‌ଙ୍କ ପରିବାର ଲୋକେ ଅନ୍ୟ ଜଣେ ଯୁବତୀଙ୍କ ସହ ତାଙ୍କର ବିବାହ ସ୍ଥିର କରିଥିଲେ। ରିସେପ୍ସନ୍ ପାଇଁ ସମସ୍ତ ପ୍ରସ୍ତୁତି ଏବଂ ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ନିଜ ପ୍ରେମିକ ଅନ୍ୟତ୍ର ବିବାହ କରୁଥିବା ଖବର ପାଇ ସମ୍ପୃକ୍ତ ଯୁବତୀ ଜଣକ ତୁରନ୍ତ ଅନୁଗୁଳ ଟାଉନ ଥାନାର ଆଶ୍ରୟ ନେଇଥିଲେ। ପୋଲିସ ନିକଟରେ ସେ ସବୁ ସତ କଥା ଜଣାଇବା ସହ ପ୍ରତାରଣାର ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ମାତ୍ରେ ଟାଉନ ଥାନା ପୋଲିସ ତତ୍ପରତା ପ୍ରକାଶ କରି ଲିପୁନ୍‌ଙ୍କ ଘରେ ଚଢ଼ାଉ କରିଥିଲା। ବାହାଘରର ସମସ୍ତ ଖୁସି ମହୋତ୍ସବ ମଧ୍ୟରେ ପୋଲିସ ବର ଲିପୁନ୍ ସାହୁଙ୍କୁ ଉଠାଇ ନେଇଥିଲା। ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇ ଅନୁଗୁଳ ଜେଲକୁ ପଠାଇ ଦିଆଯାଇଛି।

Share

Leave a Reply