ଅନୁଗୁଳ: ଜିଲ୍ଲାରେ ଶିଳ୍ପାନୁଭିଭିକ ଆପାତକାଳୀନ ବ୍ୟବସ୍ଥାର ଏକ ପ୍ରସ୍ତୁତି ବୈଠକ ବୁଧବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ସାରା ଦେଶରେ ଅନୁଗୁଳ ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ପରିଚିତ । ନବରତ୍ନ କମ୍ପାନି ନାଲ୍କୋ, ଏନ୍ଟିପିସି, ଜେଏସ୍ପିଏଲ୍, ଟିଟିପିଏସ୍, ଏମ୍ସିଏଲ୍ ପରି ବଡ଼ ଶିଳ୍ପାନୁଷ୍ଠାନ ସହ୮୦ରୁ ୮୫ଟି ଛୋଟ ଶିଳ୍ପ ଅନୁଷ୍ଠାନ ରହିଛି। ଶିଳ୍ପସଂସ୍ଥାଗୁଡିକରେ ବିପୁଳ ପରିମାଣର ରାସାୟନିକ ପଦାର୍ଥ ଓ ଉତ୍ପାଦ ମହଜୁଦ୍ ହୋଇ ରହୁଛି । ଏଥିରୁ ଅନେକ ଖୁବ୍ ଜ୍ବଳନଶୀଳ ହୋଇଥାନ୍ତି । ଏଥି ସହିତ ଜିଲ୍ଲା ଦେଇ ଭାରତୀୟ ତୈଳ ନିଗମର ପାଇପ୍ ଲାଇନ୍ ମଧ୍ୟ ଯାଇଛି। ତେଣୁ ସବୁଦିଗରୁ ଜିଲ୍ଲାରେ ଏକ ଉନ୍ନତ ମାନର ଶିଳ୍ପାନୁଭିତ୍ତିକ ଆପାତକାଳୀନ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଏସବୁକୁ ଦୃଷ୍ଟିରେ ରଖି ଏହି ଆପାତକାଳୀନ ବ୍ୟବସ୍ଥାର ପରିଯୋଜନାକୁ ସଫଳ ରୂପରେଖ ଦେବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ। ବୈଠକରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ମୁଖ୍ୟ ମହାପ୍ରବନ୍ଧକ କମଳଲୋଚନ ମିଶ୍ର, କାର୍ଯ୍ୟକାରୀ ନିର୍ଦ୍ଦେଶକ ସତ୍ୟସୁନ୍ଦର ସାହୁ, ରାଜ୍ୟ ତଥା ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସମେତ ନାଲ୍କୋର ମୁଖ୍ୟ କାର୍ଯ୍ୟକାରୀ ନିର୍ଦ୍ଦେଶକ, ଏଫ୍ଆଇସିସିଆଇର ରାଜ୍ୟ ମୁଖ୍ୟ ସଞ୍ଜୀବ ମହାନ୍ତିଙ୍କ ସହିତ ବିଭିନ୍ନ ଶିଳ୍ପସଂସ୍ଥାର ଉଚ୍ଚ ଅଧିକାରୀମାନେ ଯୋଗ ଦେଇଥିଲେ । ସଭାର ସଫଳ ପରିଚାଳନା ପାଇଁ ଜିଲ୍ଲା ଆପାତକାଳୀନ ଅଧିକାରୀ ବଇତୁରା ଦିପ୍ ବିଭିନ୍ନ ଅଧିକାରୀଙ୍କ ସହ ସମନ୍ଵୟ ରକ୍ଷା କରିଥିଲେ। ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ(ତାଳଚେର) ରଜନୀକାନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।
ଶିଳ୍ପାନୁଭିଭିକ ଆପାତକାଳୀନ ବ୍ୟବସ୍ଥାର ପ୍ରସ୍ତୁତି ବୈଠକ
- Post published:June 24, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
