ଅନୁଗୁଳ: ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ସମସ୍ତ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତାଲିକା ପ୍ରକାଶ ପାଇଛି। ଏହି କ୍ରମରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତିଙ୍କୁ ଅନୁଗୁଳ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇବା ପରେ ଶ୍ରୀ ମହାନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସାଂସଦ ରୁଦ୍ର ନାରାୟଣ ପାଣି ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ବିଧାୟକ କହିଛନ୍ତି ଯେ, ସରକାର ତାଙ୍କ ଉପରେ ଯେଉଁ ବିଶ୍ୱାସ ରଖିଛନ୍ତି, ତାହାକୁ ସେ ଭଲ ଭାବେ ପାଳନ କରିବେ। ପାଳଲହଡ଼ା ସମେତ ସମଗ୍ର ଅନୁଗୁଳ ଜିଲ୍ଲାର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ସରକାରୀ ଯୋଜନାଗୁଡ଼ିକୁ ସୂଚାରୁ ରୂପେ କାର୍ଯ୍ୟକାରୀ କରିବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଛନ୍ତି। ଏହି ନିଯୁକ୍ତି ଖବର ପହଞ୍ଚିବା ପରେ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ଜିଲ୍ଲାର ଭିତ୍ତିଭୂମି ଓ ପ୍ରଗତି କ୍ଷେତ୍ରରେ ଏହି ନୂତନ ନିଯୁକ୍ତି ଏକ ସକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।



