ଆଗାମୀ ଶିକ୍ଷା ବର୍ଷରୁ ପ୍ରଥମରୁ ଦଶମ ଯାଏଁ ମଧ୍ୟାହ୍ନ ଭୋଜନ

You are currently viewing ଆଗାମୀ ଶିକ୍ଷା ବର୍ଷରୁ ପ୍ରଥମରୁ ଦଶମ ଯାଏଁ ମଧ୍ୟାହ୍ନ ଭୋଜନ

ଅନୁଗୁଳ: ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ପ୍ରୟାସ କ୍ରମେ ଆଗାମୀ ଶିକ୍ଷାବର୍ଷରୁ ଶିକ୍ଷା ବିଭାଗରେ ଏକ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ସ୍କୁଲ୍‌ର ଶିକ୍ଷକମାନଙ୍କ ଉପରେ ଥିବା ଅଯଥା ଚାପକୁ ହ୍ରାସ କରିବା, ମଧ୍ୟାହ୍ନ ଭୋଜନକୁ ଅଧିକ କ୍ରିୟାଶୀଳ ଓ ସୁବ୍ୟବସ୍ଥିତ କରାଯାଇପାରିଲେ ସ୍କୁଲ୍‌ଗୁଡ଼ିକରେ ଛାତ୍ର ଉପସ୍ଥାନ ବୃଦ୍ଧି ପାଇବା ସହ ପାଠପଢ଼ା ଠିକ୍‌ ଭାବେ ହୋଇପାରିବ ବୋଲି ଜିଲ୍ଲାପାଳ ଅନୁଭବ କରିଥିଲେ। ଅନୁଗୁଳ ଜିଲ୍ଲାରେ ବର୍ତ୍ତମାନ ପ୍ରାୟ ୧ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଛି। ଯଦି ନବମ ଦଶମ ଶ୍ରେଣୀ ପିଲାମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଏ ତେବେ ଆଉ ୪୦ ହଜାର ପିଲାଙ୍କୁ ଏଥିରେ ସାମିଲ୍‌ କରାଯାଇପାରିବ। ମଧ୍ୟାହ୍ନ ଭୋଜନ ପାଇଁ ଏଣିକି ପ୍ରତି ସ୍କୁଲ୍‌ରେ ରୋଷେଇ ନ ହୋଇ ପ୍ରତି ବ୍ଲକ୍‌ରେ ଏକ କେନ୍ଦ୍ରୀୟ ରୋଷଶାଳା ନିର୍ମାଣ କରାଯିବ। କେନ୍ଦ୍ରୀୟ ରୋଷଶାଳାରେ ଖାଦ୍ୟ ପ୍ରସ୍ତୁତି ହୋଇ ଗାଡି ଯୋଗେ ପ୍ରତି ସ୍କୁଲ୍‌ରେ ପହଞ୍ଚାଯିବ। ଓଡ଼ିଶାରେ ଖ୍ୟାତି ଅର୍ଜନ କରିଥିବା ଅକ୍ଷୟ ପାତ୍ର ଫାଉଣ୍ତେସନ୍‌ ଢାଞ୍ଚାରେ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯିବ। ଜିଲ୍ଲା ଡିଏମ୍‌ଏଫ୍‌ ପାଣ୍ଠିରୁ ଭିତ୍ତିଭୂମି ପ୍ରସ୍ତୁତି ପାଇଁ ଆବଶ୍ୟକ ଅର୍ଥ ଭରଣା କରାଯିବ। ଏଥିପାଇଁ ଆବଶ୍ୟକ ଡାଟାବେସ୍‌ ତିଆରି କାର୍ଯ୍ୟ ଆଗେଇ ଚାଲିଥିବା ଜଣାପଡ଼ିଛି। ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାକୁ ଜିଲ୍ଲାରେ ଅଧିକ ସମ୍ମୁନ୍ନତ କରିବା ପାଇଁ ଜିଲ୍ଲାପାଳଙ୍କ ଏ ଅଭିନବ ପ୍ରୟାସ କିଭଳି ରୂପ ନେବ ତାହା ଦେଖିବାକୁ ଉତ୍କଣ୍ଠା ପ୍ରକାଶ ପାଇଛି।

Share

This Post Has One Comment

  1. Chinmayee Mohapatra

    Very well. Welcome to the new step. If MDM will be supplied, then it’s the right of every child to enjoy it.

Leave a Reply