ସାତକୋଶିଆରେ ବିଦେଶୀ ପକ୍ଷୀଙ୍କ କଳରବ
* ଇଣ୍ତିଆନ୍ ସ୍କିମରଙ୍କ ସ˚ଖ୍ୟା ସର୍ବାଧିକ * ଶିକାରୀଙ୍କୁ ଜଗିବେ ବନ କର୍ମଚାରୀ
ଅନୁଗୁଳ: ଶୀତର ଆଗମନ ହେଉଣୁ ସାତକୋଶିଆ ଅଭୟାରଣ୍ୟ ତଥା ମହାନଦୀ କୂଳରେ ବିଦେଶୀ ପକ୍ଷୀଙ୍କ ସମାଗମ ହେଲାଣି। ମହାନଦୀ ପଠାରେ ବିଭିନ୍ନ ସ୍ଥାନରେ ଦଳଦଳ ହୋଇ ବିଦେଶୀ ପକ୍ଷୀ ବୁଲୁଥିବା ଦେଖାଯାଇଛି।
ଶୀତ ଆସିଲେ ବିଦେଶୀ ପକ୍ଷୀ, ପର୍ଯ୍ୟଟକଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ ସାତକୋଶିଆର ଟିକରପଡ଼ା ଅଞ୍ଚଳ। ସାଧାରଣତଃ ଜାଡ଼ ବଢ଼ିଲେ ନଭେମ୍ବର ଶେଷ ଆଡ଼କୁ ଦେଶୀ ଓ ବିଦେଶୀ ପକ୍ଷୀ ସାତକୋଶିଆକୁ ମୁହାଁଇଥାନ୍ତି। ଡିସେମ୍ବର, ଜାନୁଆରି ଓ ଫେବ୍ରୁଆରି ତିନି ମାସ ଧରି ରଙ୍ଗବେରଙ୍ଗର ପକ୍ଷୀ ଏଠାରେ ଅବସ୍ଥାନ କରିଥାନ୍ତି।
ଟିକରପଡ଼ାର ମହାନଦୀ ପଠା, କଟରଙ୍ଗ ଘାଟ, ବାଲିପୁଟ ଉତ୍ତର ଓ ଦକ୍ଷିଣ ପାର୍ଶ୍ବ, ମୋରଡ଼ା, କୁତୁରା, ବଡ଼ମୂଳ, ହରଭଙ୍ଗା, ଅଇଡ଼ା, ବାଲିପୁଟ, ଚକ୍ରଗଡ଼, ସେହିଭଳି ଆଠମଲ୍ଲିକ ମହାନଦୀ ପଠାର ବେଲପୁଞ୍ଜି, ବଡ଼ମୂଳ, କିଆକଟା, ଶିଶୁ ପଥର ଡ୍ୟାମ ସମେତ ଏ ଅଞ୍ଚଳର ବିଭିନ୍ନ ଜଳାଶୟକୁ ବିଦେଶୀ ପକ୍ଷୀ ଗତବର୍ଷ ଆସିଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ତରେ ୪୮ ପ୍ରଜାତିର ଦେଶୀ ଓ ବିଦେଶୀ ପକ୍ଷୀ ଦେଖାଯାଆନ୍ତି ବୋଲି କୁହାଯାଉଛି।
ଗତବର୍ଷ ସାତକୋଶିଆ ଅଭୟାରଣ୍ୟକୁ ମୋଟ ୪୨ ହଜାର ୬୩୦ ଦେଶୀ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ। ଆଠମଲ୍ଲିକ ବନଖଣ୍ତରେ ୨୨ ପ୍ରଜାତିର ୩ ହଜାର ୨୯୯, ଆଠଗଡ଼ ବନଖଣ୍ତରେ ୪୨ ପ୍ରଜାତିର ୩୦ ହଜାର ୯୦୮, ମହାନଦୀ ବନ୍ୟପ୍ରାଣୀ ବନଖଣ୍ତରେ ୪୮ ପ୍ରଜାତିର ୫ ହଜାର ୫୦୩ ପକ୍ଷୀ ଦେଖାଯାଇଥିଲା। ସାତକୋଶିଆରେ ଦେଖାଯାଉ ଥିବା ଦେଶୀ ପକ୍ଷୀଙ୍କ ମଧ୍ୟରେ ଫିସି˚ଇଗଲ୍, କୋଚିଳାଖାଇ, କ୍ରେଷ୍ଟେଡ୍ ସପେଣ୍ତ ଇଗଲ୍, କଜଳପାତି, ସାରୀ, ମୟୂର ରହିଥିବା ବେଳେ ବିଦେଶୀ ପକ୍ଷୀଙ୍କ ମଧ୍ୟରେ ଇଣ୍ତିଆନ୍ ସ୍କିମର୍ଙ୍କ ସ˚ଖ୍ୟା ଅଧିକ। ଧଳା ଓ ନାଲି ରଙ୍ଗର ଏହି ପକ୍ଷୀଙ୍କ ସ˚ଖ୍ୟା ୭୨ ପ୍ରତିଶତରୁ ଅଧିକ। ବିଦେଶୀ ପକ୍ଷୀ ହଜାର ହଜାର କିଲୋମିଟର ଅତିକ୍ରମ କରି ସାଇବେରିଆ, ଉତ୍ତରମେରୁ, ଅଷ୍ଟ୍ରିଆନ୍, ଋଷିଆ ଆଦି ଦେଶରୁ ଆସିଥାନ୍ତି।
ରାଜ୍ୟ ଭିତରୁ ଚିଲିକା, ଅ˚ଶୁପା, ହୀରାକୁଦ ଜଳଭଣ୍ତାର, ଭିତରକନିକା, ଶିମିଳିପାଳ ଆଦି ଅଞ୍ଚଳରୁ ବିଭିନ୍ନ ପ୍ରଜାତିର ପକ୍ଷୀ ସାତକୋଶିଆ ଆସିଥାନ୍ତି।
ଏ ସମ୍ପର୍କରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ତ ଅଧିକାରୀ ରାମସ୍ବାମୀ ପି. କହିଛନ୍ତି ଏ ଅଞ୍ଚଳରେ ନଭେମ୍ବର ଶେଷ ଆଡ଼କୁ ବିଦେଶୀ ପକ୍ଷୀ ଦେଖାଦେଇଥାନ୍ତି। ସାତକୋଶିଆରେ ପ୍ରାୟ ୯୦ରୁ ୧୧୫ ଦିନ ରହି ପୁଣି ନିଜ ସ୍ଥାନକୁ ବାହୁଡ଼ିଥାନ୍ତି। ଚଳିତ ବର୍ଷ ବିଦେଶୀ ପକ୍ଷୀଙ୍କ ସ˚ଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ମହାନଦୀ ଓ ଅଭୟାରଣ୍ୟରେ ପକ୍ଷୀ ଶିକାର କିପରି ହୋଇନପାରିବ ସେଥିପ୍ରତି ସଜାଗ ରହିବାକୁ ସମସ୍ତ ବନ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବନଖଣ୍ତ ଅଧିକାରୀ ପ୍ରକାଶ କରିଛନ୍ତି।