ଏବେ ବି ବଞ୍ଚିଛି ବଳଦ ଟଣା କାଠ ଘଣା! ଦିନକୁ ବାହାରୁଛି ୪ ଲିଟରରୁ ଅଧିକ ତେଲ, ଔଷଧରେ ହେଉଛି ବ୍ୟବହାର

0

ଅନୁଗୁଳ: ବର୍ତ୍ତମାନର ଆଧୁନିକ ଦୁନିଆରେ ଲୋକମାନେ ସବୁ ଜିନିଷକୁ ହାତ ମୁଠାରେ ପାଇବାକୁ ଚାହୁଁଛନ୍ତି। ଏଣୁ ଧୀରେ ଧୀରେ ପ୍ରତ୍ୟେକ ଜିନିଷ ସରଳ ହୋଇଗଲାଣି। କିନ୍ତୁ ଏବେ ବି ଅନେକ ସ୍ଥାନ ଅଛି, ଯେଉଁଠି ବଞ୍ଚି ରହିଛି ପରମ୍ପରା। ଏବେ ବି ଲୋକମାନେ ପାରମ୍ପରିକ ଉପାୟ ଆପଣାଇ କାମ କରୁଛନ୍ତି। ସେଭଳି ଏକ ସ୍ଥାନ ଅନୁଗୁଳରେ ରହିଛି।

ଏଠାରେ ଆଜି ବି ବଞ୍ଚି ରହିଛି ବଳଦ ଟଣା କାଠ ଘଣା। ବହୁ ବର୍ଷ ତଳୁ ବଳଦ ଟଣା କାଠ ଘଣା ବନ୍ଦ ହୋଇଯାଇଥିଲେ ବି ଏଠାରେ ଅନୁଗୁଳ ଉତ୍କଳ ନବ ଜୀବନ ମଣ୍ଡଳ ଏହାକୁ ଜୀବନ୍ତ ରଖିଛି। ଏଠାରେ ୧୯୭୫ ମସିହାରୁ ବଳଦ ଟଣା କାଠ ଘଣା ଚାଲୁଛି। ଉତ୍କଳ ନବ ଜୀବନ ମଣ୍ଡଳର ସମ୍ପାଦକ ମୁରଲୀ ଧର ମୁଳିଆଙ୍କ ସହଯୋଗରେ ଏହା ଚାଲିଛି।ଏଠାରେ ପ୍ରତିଦିନ କାଠ ଗଣ୍ଠି ରେ ୧୩ କେଜି ସୋରିଷ ପକାଯାଏ। ୬ ଘଣ୍ଟା ଘଣାରେ ପଡିଲା ପରେ ସେଥିରୁ ୪ ଲିଟର ସୋରିଷ ତେଲ ବାହାରି ଥାଏ। ସେହିପରି ରାଶି, ବାଦାମ, ନଡ଼ିଆ ୧୫ କେଜି ପକାଯାଇ ଘଣାଯାଇଥାଏ। ଦିନ ଥିଲା ଏହି କାଠ ଘଣା ପ୍ରତି ଗାଁରେ ରହିଥିଲା। କିନ୍ତୁ ଦିନକୁ ଦିନ ଏହା ଲୋପ ପାଇ ଯାଉଛି।

ଏନେଇ ସମ୍ପାଦକ ମୁରଲୀ ଧର ମୁଳିଆ କୁହନ୍ତି, ଉତ୍କଳ ନବ ଜୀବନ ମଣ୍ଡଳ ଓଡିଶାର ସର୍ବ ପୁରାତନ ଅନୁଷ୍ଠାନ। ମଝିରେ ଘଣା ପକାଇବାକୁ ଲୋକ ଅଭାବ ଯୋଗୁଁ ଘଣା ବନ୍ଦ ହୋଇଥିଲା। କିନ୍ତୁ ୨୦୧୧ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଆମେ ଘଣା ପେଡି ଆସୁଛୁ। କାଠ ଘଣାରେ ପେଡ଼ା ଯାଉଥିବା ତେଲ ଔଷଧ ଯୋଗ୍ୟ। ଏହି କାଠ ଘଣା ତେଲ କେବଳ ଓଡ଼ିଶା ନୁହେଁ, ବାହାରକୁ ମଧ୍ୟ ପଠାଯାଏ। ଗାନ୍ଧୀଙ୍କର ଗ୍ରାମ ବିକାଶ ବା ଗ୍ରାମ ସ୍ୱରାଜର ଏହା ଏକ ଅଙ୍ଗ ବୋଲି ସମ୍ପାଦକ କହିଛନ୍ତି।

ସେହିପରି ତେଲ ପେଡ଼ୁଥିବା ବେଣୁଧର ସାହୁ କୁହନ୍ତି, ମୁଁ ପ୍ରତିଦିନ ସକାଳୁ ଆସି କାଠ ଘଣାକୁ ପ୍ରସ୍ତୁତ କରେ। ତା ପରେ ବଳଦ ଯୁଝେ। ତା ପରେ ସୋରିଷ ହେଉ କି ରାଶି ହେଉ ତାକୁ ବାହାର କରେ। ପରେ ବଳଦକୁ ବୁଲାଇଥାଏ। ବଳଦ ବୁଲିବା ପରେ ଧୀରେ ଧୀରେ ତେଲ ବାହାରିବା ଆରମ୍ଭ ହୁଏ ବୋଲି ବେଣୁଧର କରିଛନ୍ତି। ୬ ବର୍ଷରୁ ଅଧିକ ସମୟ ହେଲା ସେ ଏହି କାର୍ଯ୍ୟ କରି ଆସୁଛନ୍ତି। ବାପାଙ୍କ ଠାରୁ ଏହା ଶିଖିଥିଲେ ବୋଲି କୁହନ୍ତି ବେଣୁଧର।

Leave A Reply

Your email address will not be published.

error: Content is protected !!