ଅନୁଗୁଳ: ଛେଣ୍ଡିପଦା ବ୍ଲକ୍ ବାଲିପଟ୍ଟା ପଞ୍ଚାୟତ ହାଇସ୍କୁଲର ୧୦ ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ଛାତ୍ରୀ ବିଦ୍ୟାଳୟର ହଷ୍ଟେଲ୍ରେ ରହୁଥିଲେ। ଏହି ଘଟଣା ଅଭିଭାବକ ମହଲରେ ଭୟର ବାତାବରଣ ସୃଷ୍ଟି କରିଛି। ଉଭୟ ଶିକ୍ଷା ବିଭାଗ ଓ ସ୍ଵାସ୍ଥ୍ୟ ପ୍ରଶାସନର ଚିନ୍ତା ବଢ଼ିଥିବା ବେଳେ ହଷ୍ଟେଲ୍କୁ ସିଲ୍ କରାଯାଇଛି। ସମସ୍ତ ସଂକ୍ରମିତଙ୍କୁ ସଂଗରୋଧରେ ରଖାଯାଇଛି। ହଷ୍ଟେଲର ଅନ୍ୟ ୬୦ ଜଣଙ୍କୁ ମଧ୍ୟ ସଙ୍ଗରୋଧରେ ରଖାଯାଇଛି। ଆବଶ୍ୟକ ପଡ଼ିଲେ ବିଦ୍ୟାଳୟକୁ ମଧ୍ୟ ସିଲ୍ କରାଯିବ ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ସ୍କୁଲ କର୍ତ୍ତୃପକ୍ଷ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଚିଠି କରିଥିବା ଜଣାପଡ଼ିଛି। ଗତ କିଛି ଦିନ ହେଲା କିଛି ଛାତ୍ରୀଙ୍କୁ ଥଣ୍ଡା ଓ କାଶ ହୋଇଥିଲା। ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ନଆସିବାରୁ ସ୍କୁଲ କର୍ତ୍ତୃପକ୍ଷ ଏ ନେଇ ବାଲିପଟ୍ଟା ମେଡିକାଲ ଅଧିକାରୀଙ୍କୁ ଜଣାଇଥିଲେ। ଅସୁସ୍ଥ ଛାତ୍ରୀଙ୍କ କରୋନା ପରୀକ୍ଷା କରାଯିବାରୁ ୧୦ ଜଣଙ୍କ ନମୁନା ପଜିଟିଭ୍ ଆସିଥିଲା। ଏହି ଘଟଣା ପରେ ସଂକ୍ରମିତଙ୍କ ସମେତ ଅନ୍ୟମାନଙ୍କୁ ମଧ୍ୟ ସଂଗରୋଧରେ ରଖାଯାଇଛି। ଏ ସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ କହିଛନ୍ତି, ବାଲିପଟ୍ଟା ହାଇସ୍କୁଲରେ ଛାତ୍ରୀ କରୋନା ପଜିଟିଭ୍ ବାହାରିବା ସତ । କିଛି ଛାତ୍ରୀଙ୍କ ଠାରେ ଥଣ୍ଡା ଓ କାଶ ଭଳି ଲକ୍ଷଣ ଦେଖା ଦେବା ପରେ ସ୍ବାସ୍ଥ୍ୟ ବିଭାଗ ସେମାନଙ୍କ କରୋନା ପରୀକ୍ଷା କରିଥିଲା। ରିପୋର୍ଟ ପଜିଟିଭ୍ ଆସିଛି। ହଷ୍ଟେଲ ସିଲ୍ କରାଯିବା ସହ ସେମାନଙ୍କୁ ଆଇସୋଲେସନ୍ରେ ରଖାଯାଇ ଚିକିତ୍ସା କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି।
୧୦ ଛାତ୍ରୀ କରୋନା ପଜିଟିଭ୍
- Post published:December 7, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul