୧୦ ଛାତ୍ରୀ କରୋନା ପଜିଟିଭ୍

0

ଅନୁଗୁଳ: ଛେଣ୍ଡିପଦା ବ୍ଲକ୍ ବାଲିପଟ୍ଟା ପଞ୍ଚାୟତ ହାଇସ୍କୁଲର ୧୦ ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ଛାତ୍ରୀ ବିଦ୍ୟାଳୟର ହଷ୍ଟେଲ୍‌ରେ ରହୁଥିଲେ। ଏହି ଘଟଣା ଅଭିଭାବକ ମହଲରେ ଭୟର ବାତାବରଣ ସୃଷ୍ଟି କରିଛି। ଉଭୟ ଶିକ୍ଷା ବିଭାଗ ଓ ସ୍ଵାସ୍ଥ୍ୟ ପ୍ରଶାସନର ଚିନ୍ତା ବଢ଼ିଥିବା ବେଳେ ହଷ୍ଟେଲ୍‌କୁ ସିଲ୍ କରାଯାଇଛି। ସମସ୍ତ ସଂକ୍ରମିତଙ୍କୁ ସଂଗରୋଧରେ ରଖାଯାଇଛି। ହଷ୍ଟେଲର ଅନ୍ୟ ୬୦ ଜଣଙ୍କୁ ମଧ୍ୟ ସଙ୍ଗରୋଧରେ ରଖାଯାଇଛି। ଆବଶ୍ୟକ ପଡ଼ିଲେ ବିଦ୍ୟାଳୟକୁ ମଧ୍ୟ ସିଲ୍ କରାଯିବ ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ସ୍କୁଲ କର୍ତ୍ତୃପକ୍ଷ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଚିଠି କରିଥିବା ଜଣାପଡ଼ିଛି। ଗତ କିଛି ଦିନ ହେଲା କିଛି ଛାତ୍ରୀଙ୍କୁ ଥଣ୍ଡା ଓ କାଶ ହୋଇଥିଲା। ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ନଆସିବାରୁ ସ୍କୁଲ କର୍ତ୍ତୃପକ୍ଷ ଏ ନେଇ ବାଲିପଟ୍ଟା ମେଡିକାଲ ଅଧିକାରୀଙ୍କୁ ଜଣାଇଥିଲେ। ଅସୁସ୍ଥ ଛାତ୍ରୀଙ୍କ କରୋନା ପରୀକ୍ଷା କରାଯିବାରୁ ୧୦ ଜଣଙ୍କ ନମୁନା ପଜିଟିଭ୍ ଆସିଥିଲା। ଏହି ଘଟଣା ପରେ ସଂକ୍ରମିତଙ୍କ ସମେତ ଅନ୍ୟମାନଙ୍କୁ ମଧ୍ୟ ସଂଗରୋଧରେ ରଖାଯାଇଛି। ଏ ସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ କହିଛନ୍ତି, ବାଲିପଟ୍ଟା ହାଇସ୍କୁଲରେ ଛାତ୍ରୀ କରୋନା ପଜିଟିଭ୍ ବାହାରିବା ସତ । କିଛି ଛାତ୍ରୀଙ୍କ ଠାରେ ଥଣ୍ଡା ଓ କାଶ ଭଳି ଲକ୍ଷଣ ଦେଖା ଦେବା ପରେ ସ୍ବାସ୍ଥ୍ୟ ବିଭାଗ ସେମାନଙ୍କ କରୋନା ପରୀକ୍ଷା କରିଥିଲା। ରିପୋର୍ଟ ପଜିଟିଭ୍ ଆସିଛି। ହଷ୍ଟେଲ ସିଲ୍ କରାଯିବା ସହ ସେମାନଙ୍କୁ ଆଇସୋଲେସନ୍‌ରେ ରଖାଯାଇ ଚିକିତ୍ସା କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.

error: Content is protected !!