ଅନୁଗୁଳ: ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ତଥା ସ୍ୱତନ୍ତ୍ର କୋର୍ଟ ପୋକସୋ ଜଣେ ନାବାଳିକା ଦୁଷ୍କର୍ମକାରୀକୁ ଶୁକ୍ରବାର ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ସୂଚନା ମୁତାବକ, ୨୦୧୫ ମାର୍ଚ୍ଚ ୧୩ ଦିନ ସକାଳେ ଅନୁଗୁଳ ଥାନା ଅଂଚଳର ଜଣେ ନାବାଳିକା ସାଙ୍ଗ ପାଖକୁ ଯାଉଛି କହି ଘରୁ ଆସିଥିଲା। ଅପରାହ୍ନ ୩ଟାରେ ସମ୍ପୃକ୍ତା ନାବାଳିକା ମୁଁ ମୋ ସାଙ୍ଗର ଭାଇ ସହିତ ଘରକୁ ଫେରୁଛି ବ୍ୟସ୍ତ ହୁଅନାହି ବୋଲି ନିଜ ବାପାଙ୍କୁ ଫୋନ କରି ଜଣାଇଥିଲା। କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସମ୍ପୃକ୍ତା ନାବାଳିକା ଘରକୁ ନଫେରିବାରୁ ପରିବାର ପକ୍ଷରୁ ଉକ୍ତ ନମ୍ବରକୁ ଫୋନ କରିଥିଲେ। କିନ୍ତୁ ଫୋନ ଅଫ୍ ଥିଲା। ପରିବାର ପକ୍ଷରୁ ଏନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା।
ପୁଲିସ ତଦନ୍ତ କରି ଢେଙ୍କାନାଳ ଜିଲ୍ଲା ସରଦେଇପୁର ଗ୍ରାମରେ ଚଢ଼ାଉ କରି ବାୟା ଓରଫ ସତ୍ୟବ୍ରତ ଦାସ (୩୨)କୁ ଗିରଫ କରି ତାଙ୍କ ଠାରୁ ନାବାଳିକାକୁ ଉଦ୍ଧାର କରିଥିଲା। ଝିଅକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଅଭିଯୁକ୍ତ ସତ୍ୟବ୍ରତ ଦାସକୁ କୋର୍ଟ ଚାଲାଣ କରିଥିଲା ପୁଲିସ।
ଶୁକ୍ରବାର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ତଥା ସ୍ୱତନ୍ତ୍ର କୋର୍ଟ ପୋକସୋ ସୌମ୍ୟା ଶୁଭଦର୍ଶିନୀ ମାମଲାର ଶୁଣାଣି କରି ଅଭିଯୁକ୍ତ ସତ୍ୟବ୍ରତ ଦାସକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜରିମାନା ତତସହିତ ପୀଡ଼ିତାକୁ ୩ଲକ୍ଷ୍ୟ ଟଙ୍କା ଅନୁକମ୍ପା ମୂଳକ ଅର୍ଥ ରାଶି ପ୍ରଦାନ କରିବାପାଇଁ ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ମାସ ଜେଲଦଣ୍ଡ ଶୁଣାଣି କରିଛନ୍ତି। ତେବେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ସରୋଜ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।