ଜିଲ୍ଲା ଖଣିଜ କ୍ଷେତ୍ର ପାଣ୍ଠିର ୧୦ମ ବୋର୍ଡ ଅଫ୍ ଟ୍ରଷ୍ଟି ବୈଠକ, ପରିବେଶ ସୁରକ୍ଷା ଓ ବିକାଶ ଉପରେ ଗୁରୁତ୍ଵ

You are currently viewing ଜିଲ୍ଲା ଖଣିଜ କ୍ଷେତ୍ର ପାଣ୍ଠିର ୧୦ମ ବୋର୍ଡ ଅଫ୍ ଟ୍ରଷ୍ଟି ବୈଠକ, ପରିବେଶ ସୁରକ୍ଷା ଓ ବିକାଶ ଉପରେ ଗୁରୁତ୍ଵ

ଅନୁଗୁଳ: ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାକୁ ଜିଲ୍ଲା ଖଣିଜ ପାଣ୍ଠି ଦ୍ବାରା କାର୍ଯ୍ୟକାରୀ କରିବା ନିମନ୍ତେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ୧୦ମ ବୋର୍ଡ ଅଫ୍ ଟ୍ରଷ୍ଟିର ବୈଠକ ଶନିବାର ଅପରାହ୍ନରେ ଆୟୋଜିତ ହୋଇଛି। ବୈଠକରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଓ ସମ୍ବଲପୁର ଲୋକସଭା ସାଂସଦଙ୍କ ପ୍ରତିନିଧି ଅଗସ୍ତ ବେହେରା ପ୍ରମୁଖ ଯୋଗ ଦେଇ ଜିଲ୍ଲା ଖଣିଜ ପାଣ୍ଠିର ସୁବିନିଯୋଗ ଉପରେ ଗୁରୁତ୍ବାରୋପ କରିଥିଲେ।

ଜିଲ୍ଲା ଖଣିଜ ପାଣ୍ଠିର ଅନୁଦାନ ସରକାରଙ୍କ ଦ୍ବାରା ପ୍ରଦତ୍ତ ନିୟମାବଳୀ ଆଧାରରେ ଖର୍ଚ୍ଚ କରାଯାଉଛି। ଏହି ଅନୁଦାନ ଖର୍ଚ୍ଚ କରୁଥିବା ସମ୍ପୃକ୍ତ ବିଭାଗଗୁଡ଼ିକର ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ। ୨୦୨୧ ଅଗଷ୍ଟ ୩୧ ରେ ଅନୁଷ୍ଠିତ ହୋଇଥିବା ନବମ ଜିଲ୍ଲା ଖଣିଜ କ୍ଷେତ୍ର ପାଣ୍ଠି ବୈଠକର ନିଷ୍ପତ୍ତିକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ଉପରେ ସଦସ୍ୟମାନେ ଗୁରୁତ୍ବାରୋପ କରିଥିଲେ। ୯ମ ଓ ୧୦ମ ଟ୍ରଷ୍ଟ ବୋର୍ଡ ବୈଠକ ସୁଦ୍ଧା ଜିଲ୍ଲା ଖଣିଜ ପାଣ୍ଠିରେ ୫୩୧.୨୧ କୋଟି ଟଙ୍କା ଉପଲବ୍ଧ ଅଛି। ଅଗଷ୍ଟ ୨୦୨୨ ସୁଦ୍ଧା ୨୩୨୦.୫୪ କୋଟି ଟଙ୍କା ସଂଗ୍ରହ କରାଯାଇଛି। ୬୧୪ଟି ପ୍ରକଳ୍ପକୁ ମଞ୍ଜୁର କରାଯାଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଥିଲେ।

ବୈଠକରେ ବିଭିନ୍ନ ବ୍ଳକରେ ଚାଲୁଥିବା ଆଦର୍ଶ ବିଦ୍ୟାଳୟ, ଡାକ୍ତର ପଦବୀ ପୂରଣ, ଶିକ୍ଷକ ନିଯୁକ୍ତି ଓ ଜୀବିକା ଉପାର୍ଜନ ସମ୍ପର୍କରେ ଆଲୋଚନା ହୋଇଥିଲା। ଖଣି ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା, ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଉପରେ ସାଂସଦ ଓ ବିଧାୟକମାନେ ଗୁରୁତ୍ବାରୋପ କରିଥିଲେ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ଉପଜିଲ୍ଲାପାଳ ବଇତୁରା ଦିପ୍ ପ୍ରମୁଖ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

Share

Leave a Reply