ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ପବିତ୍ରନଗରଠାରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ୧୧୮ତମ ରାଜ୍ୟସ୍ତରୀୟ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ପ୍ରଧାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ଏକ ସଂଗ୍ରହାଳୟକୁ ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରିଥିଲେ।
ରାଜ୍ୟପାଳ ନିଜ ଅଭିଭାଷଣରେ କହିଥିଲେ ଯେ, ପବିତ୍ର ବାବୁଙ୍କ ଜୀବନ ସେବା, ତ୍ୟାଗ ଓ ନିର୍ମଳ ଚରିତ୍ରର ଏକ ଜ୍ୱଳନ୍ତ ଉଦାହରଣ। ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନରେ ତାଙ୍କର ସାହସିକ ନେତୃତ୍ୱ ଓ ପରବର୍ତ୍ତୀ ସମୟରେ ଶିକ୍ଷା ମନ୍ତ୍ରୀ ଭାବେ ଶିକ୍ଷାର ପ୍ରସାର ପାଇଁ ତାଙ୍କର ଅବଦାନ ଅତୁଳନୀୟ। ଏହି ସଂଗ୍ରହାଳୟ ଆଗାମୀ ପିଢ଼ିକୁ ନୈତିକ ମୂଲ୍ୟବୋଧ ଶିଖାଇବ ବୋଲି ସେ ଆଶା ପ୍ରକଟ କରିଥିଲେ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ପ୍ରଧାନଙ୍କୁ ‘ମାଟିର ଗୌରବ’ ଭାବେ ଅଭିହିତ କରିଥିଲେ। ସେ ଜାତୀୟ ଶିକ୍ଷା ନୀତି ୨୦୨୦ର ପ୍ରାସଙ୍ଗିକତା ଓ ଓଡ଼ିଶାକୁ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅଗ୍ରଣୀ କରିବା ପାଇଁ ସରକାରଙ୍କ ପ୍ରୟାସ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ରୁଦ୍ର ନାରାୟଣ ପାଣି, ବିଧାୟକ ଅଶୋକ ମହାନ୍ତି ଓ ଜିଲ୍ଲାପାଳ ଅବ୍ଦାଲ ଅଖତାର ଉପସ୍ଥିତ ଥିଲେ। ଏହି ଅବସରରେ ଅଞ୍ଚଳର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରାଯାଇଥିଲା।


