ଅନୁଗୁଳ: ସିଏମଆରଏଲ ଯୋଜନାରେ ବର୍ଷେ ହେଲାଣି ହୋଇ ପାରୁନି ରାସ୍ତା କାମ। ଧୂଳି ଧୂଆଁରେ ଯିବା ଆସିବା କରୁଛନ୍ତି ସ୍ଥାନୀୟ ଲୋକ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ।
ସ୍ଥାନୀୟ ଢେଙ୍କାନାଳ ଜିଲ୍ଲା କଂସରା ଗାଁରୁ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଦୁର୍ଗାପ୍ରସାଦପୁର ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଏକ ପିଚୁ ରାସ୍ତା ନିର୍ମାଣ କରିବା ନେଇ ପ୍ରକଳ୍ପ ଆରମ୍ଭ କରିଥିଲା। କଂସରା ଅଞ୍ଚଳରୁ ଦୁର୍ଗାପ୍ରସାଦପୁର ଦେଇ ଏହି ରାସ୍ତାଟି ଆଠଗଡ଼ ଅନୁଗୁଳ ମୁଖ୍ୟରାସ୍ତା ସହ ସଂଯୋଗ କରିଥାନ୍ତା। ଗତ ନିର୍ବାଚନ ପୂର୍ବରୁ ଏହି ରାସ୍ତା କାମ ଆରମ୍ଭ କରାଯାଇଥିଲା। କିନ୍ତୁ ଆଜି ଯାଏଁ କାମ ସରି ପାରିନାହିଁ। ଏହି ରାସ୍ତା ନିର୍ମାଣ ଓ ମରାମତି ଢେଙ୍କାନାଳ ଜିଲ୍ଲା ହାତରେ ରହିଛି। ପ୍ରାୟ ୨ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ କରାଯାଉଛି। ଚାରି କିଲୋମିଟର ମଧ୍ୟରୁ ୧୭ଶହ ମିଟର ରାସ୍ତା କଂକ୍ରିଟ ହେବାକୁ ଥିବା ବେଳେ ତାହାର ମୂଳଦୁଆରେ ହିଁ ଅଟକିଛି। ଡବ୍ଲ୍ୟୁଏମଏମ କାର୍ଯ୍ୟ ସାରି ଠିକାଦାର ପଳାଇଥିବା ଜଣାପଡ଼ିଛି। ଗୋପାଳି କନଷ୍ଟ୍ରକସନ ନାମରେ ଏକ ସଂସ୍ଥା ଏହି କାର୍ଯ୍ୟର ଟେଣ୍ଡର ପାଇଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି। ତେବେ ଉକ୍ତ ସଂସ୍ଥା କାର୍ଯ୍ୟରେ ବିଳମ୍ବ କରୁଥିବା କାରଣରୁ ରାସ୍ତା କାର୍ଯ୍ୟ ଆଗେଇ ପାରୁନଥିବା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ କୁହାଯାଇଛି।
ସୂଚନା ମୁତାବକ, ୨୦୨୫ ଫେବ୍ରୁଆରୀ ସୁଦ୍ଧା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ଅବଧି ରହିଥିଲା। କିନ୍ତୁ ଅବଧି ବିତିଯାଇଥିଲେ ମଧ୍ୟ କାର୍ଯ୍ୟ ଆଗେଇ ପାରୁନାହିଁ। ଏହା ମଧ୍ୟରେ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଉକ୍ତ ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ୩ଟି କାରଣ ଦର୍ଶାଅ ନୋଟିସ କରି ଚୁପ୍ ବସିଥିବା ଜଣାପଡିଛି। ଗାଁ ଆରମ୍ଭରେ ଏକ ବାଉଁଶ ବାଡ଼ି ଓ କାଗଜ ପଟିରେ ‘ରାସ୍ତା ବନ୍ଦ ଅଛି’ ‘ରାସ୍ତା କାମ ଚାଲୁଛି’ ଲେଖି ଠିକାଦାର ନିଜ କାମ ତୁଲାଇ ଦେଇଥିବା ଦେଖାଯାଇଛି। ଠିକାଦାର ଓ ଟେଣ୍ଡର ନେଇଥିବା ସଂସ୍ଥାର ଅବହେଳା ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି।