ଅନୁଗୋଳ: ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରି ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ। ଅନୁଗୋଳ ଜିଲ୍ଲାର ମାଣିକଯୋଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦୀର୍ଘଦିନ ଧରି ଶିକ୍ଷକ ଅଭାବ ଲାଗି ରହିଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି।
ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟର ଉଚ୍ଚ ପ୍ରାଥମିକ ଶ୍ରେଣୀ ପାଇଁ ମାତ୍ର ଜଣେ ଶିକ୍ଷକ ରହିଥିବା ବେଳେ ହାଇସ୍କୁଲ ସ୍ତରରେ ପ୍ରଧାନଶିକ୍ଷକଙ୍କ ସମେତ ମାତ୍ର ୫ ଜଣ ଶିକ୍ଷକ ଅଛନ୍ତି। ଏପରିକି ଇଂରାଜୀ, ହିନ୍ଦୀ ଓ ସାମାଜିକ ବିଜ୍ଞାନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ପଢ଼ାଇବା ପାଇଁ ଆବଶ୍ୟକ ଶିକ୍ଷକ ନାହାନ୍ତି।
ଏନେଇ ପୂର୍ବରୁ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ଶେଷରେ ଅଭିଭାବକମାନେ ଧାରଣା ଦେବାକୁ ବାଧ୍ୟ ହୋଇଥିଲେ। ସଭାପତି ଭୂପେନ ପ୍ରଧାନଙ୍କ ନେତୃତ୍ୱରେ ଅଭିଭାବକ ଓ ଗ୍ରାମବାସୀମାନେ ଡିଇଓ କାର୍ଯ୍ୟାଳୟରେ ଧାରଣାରେ ବସି ତୁରନ୍ତ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବି କରିଥିଲେ। ଶିକ୍ଷା ବ୍ୟବସ୍ଥାର ଏହି ଅବ୍ୟବସ୍ଥାର ସମାଧାନ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷିତ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି।

















