ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ପଳାଶବାହାଳି ଆଶ୍ରମ ବିଦ୍ୟାଳୟ ପରିସରରେ ଜନଜାତି ଗୌରବ ଦିବସ ଓ ପିତାମାତା-ଶିକ୍ଷକ ସହଭାଗିତା (PAP) ଉତ୍ସବ ଉତ୍ସାହର ସହ ପାଳିତ ହୋଇଛି। ଏହି ଅବସରରେ ଶିକ୍ଷାର ବିକାଶ ସହ ଜନଜାତି ସମ୍ପ୍ରଦାୟର ଐତିହ୍ୟ ଓ ପରମ୍ପରାର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ପ୍ରଧାନଶିକ୍ଷକ ଅଜାତି ଚରଣ ଭୂତିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବକୁ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରିଣୀ ରଶ୍ମିରାଣୀ ଦାସ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବାଲିପଶି ପଞ୍ଚାୟତ ସରପଞ୍ଚ ହାଡ଼ିବନ୍ଧୁ ସେଠୀ, ଅବସରପ୍ରାପ୍ତ ଶିକ୍ଷାବିତ୍ ମଦନମୋହନ ସାହୁ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦିଗାମ୍ବର ବିଶ୍ୱାଳ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତପନ କୁମାର ସାହୁ ଯୋଗଦେଇଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରଙ୍ଗୋଲି, ବକ୍ତୃତା, ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ସହକାରୀ ଶିକ୍ଷୟିତ୍ରୀ ଲୋପାମୁଦ୍ରା ପ୍ରଧାନ ଧନ୍ୟବାଦ ଦେଇଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ।















