ଅନୁଗୋଳ: ସ୍ଥାନୀୟ ଗାନ୍ଧିମାର୍ଗସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୯ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଆଜି ଉଦ୍ଘାଟିତ ହୋଇଛି। ଜାତୀୟ ସ୍ତରର ଫୁଟବଲ ଖେଳାଳି ତଥା ପ୍ରଶିକ୍ଷକ ରଣଜିତ ଇଗ୍ନାଶିୟସ ଟିଗା ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଜ୍ୟୋତି ପ୍ରଜ୍ଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ।
ପ୍ରଧାନାଚାର୍ଯ୍ୟ ଆଲୋକ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ପରିଚାଳନା ସମିତିର ସଭାପତି ଡ. ସୁଧାକର ପାଳ, ଉପସଭାପତି କ୍ଷୀରୋଦ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ, +୨ ବିଜ୍ଞାନ ଅଧ୍ୟକ୍ଷ ଡ. ସିଦ୍ଧନାଥ ସାହୁ ଓ ସହପ୍ରଧାନାଚାର୍ଯ୍ୟ ସୁରେଶ କୁମାର ସାହୁ ଅତିଥି ଭାବେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଘୋଷ, ଡମ୍ବେଲ, ଯୋଗାଭ୍ୟାସ ଓ ନୃତ୍ୟ ଆଦି ପ୍ରଦର୍ଶିତ ହୋଇଥିଲା। ମା’ ବୁଢ଼ୀ ଠାକୁରାଣୀଙ୍କ ପୀଠରୁ କ୍ରୀଡ଼ା ଜ୍ୟୋତି ଅଣାଯାଇ ଉତ୍ସବର ଶୁଭାରମ୍ଭ କରାଯାଇଥିଲା। ଶିଶୁ, ବାଳ, କିଶୋର ଓ ତରୁଣ ବର୍ଗର ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡ଼ାରେ ଭାଗନେବେ। କ୍ରୀଡ଼ା ପ୍ରମୁଖ ଫୁଲେନ୍ଦୁ ପ୍ରଧାନଙ୍କ ସହ ଗୁରୁଜୀ ଓ ଗୁରୁମାମାନେ କ୍ରୀଡ଼ା ପରିଚାଳନା ଦାୟିତ୍ୱ ତୁଲାଇବେ। ଦୁଇଦିନ ଧରି ଏହି କ୍ରୀଡ଼ା ଉତ୍ସବ ଚାଲିବ।















