ସରକାରୀ ଜମି ଜବରଦଖଲ ଉପରେ ପ୍ରଶାସନର ଛାଟ: ଚଷାଗୁରୁଜାଙ୍ଗରେ ଏକ ଏକର ଜମି ଉଚ୍ଛେଦ, ୩୦ ଜଣଙ୍କୁ ନୋଟିସ୍

You are currently viewing ସରକାରୀ ଜମି ଜବରଦଖଲ ଉପରେ ପ୍ରଶାସନର ଛାଟ: ଚଷାଗୁରୁଜାଙ୍ଗରେ ଏକ ଏକର ଜମି ଉଚ୍ଛେଦ, ୩୦ ଜଣଙ୍କୁ ନୋଟିସ୍

ଅନୁଗୋଳ: ସରକାରୀ ଜମି ଜବରଦଖଲକୁ ନେଇ ସ୍ଥାନୀୟ ପାଳଲହଡ଼ା ପ୍ରଶାସନ ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲଙ୍କ ନିର୍ଦ୍ଦେଶରେ ଚଷାଗୁରୁଜାଙ୍ଗ ମୌଜାରେ ଏକ ଏକର ସରକାରୀ ଜମିକୁ ଜବରଦଖଲମୁକ୍ତ କରାଯାଇଛି। ଏଥିସହ ପ୍ରାୟ ୩୫ ଏକର ସରକାରୀ ଜମି ଜବରଦଖଲ କରିଥିବା ୩୦ ଜଣଙ୍କୁ ପ୍ରଶାସନ ପକ୍ଷରୁ ନୋଟିସ ଜାରି ହୋଇଛି।

ବାହାଡ଼ାପଶି ରାଜସ୍ୱ ସର୍କଲ ଅନ୍ତର୍ଗତ ଚଷାଗୁରୁଜାଙ୍ଗ ମୌଜାର ଖାତା ନଂ-୨୨୯ ଓ ପ୍ଲଟ୍‌ ନଂ-୨୬୭୮ରେ ଥିବା ଜଙ୍ଗଲ-୨ କିସମର ଏକ ଏକର ଜମିକୁ ରାଜୀବ ଲୋଚନ ସାହୁ ଦୀର୍ଘଦିନ ଧରି ଜବରଦଖଲରେ ରଖିଥିବା ଅଭିଯୋଗ ହୋଇଥିଲା। ଏହାପରେ ତହସିଲ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଉଚ୍ଛେଦ ଅଭିଯାନ କରାଯାଇ ଉକ୍ତ ଜମିକୁ ମୁକ୍ତ କରାଯାଇଛି।

ଅତିରିକ୍ତ ତହସିଲଦାର ମଦନ ମୋହନ ଜେନା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ ଭାବେ ଏହି ଅଭିଯାନରେ ଉପସ୍ଥିତ ଥିବାବେଳେ ସହକାରୀ ଜିଲ୍ଲାପାଳ ଗିରିଶ ଚନ୍ଦ୍ର ସିଂହଙ୍କ ସମେତ ରାଜସ୍ୱ, ବନ ଓ ଉଠା ଜଳସେଚନ ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ।

ଉଚ୍ଛେଦ ପରେ ଜମିରେ ଥିବା ସୋଲାର ପ୍ୟାନେଲକୁ ଉଠା ଜଳସେଚନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଜମିର ସୀମା ନିର୍ଦ୍ଧାରଣ ପାଇଁ ଲାଲ ପତାକା ଲଗାଯିବା ସହ ସେଠାରେ ବୃକ୍ଷରୋପଣ କରିବାକୁ ବନ ବିଭାଗକୁ ଅନୁରୋଧ କରାଯାଇଛି।
ଏହି ଅଭିଯାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବାବେଳେ ଆଗାମୀ ଦିନରେ ଅନ୍ୟ ଜବରଦଖଲକାରୀଙ୍କ ବିରୋଧରେ ମଧ୍ୟ ଅଭିଯାନ ଜାରି ରହିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

Share

Leave a Reply