ଅନୁଗୋଳ, ୧୦।୧୧: ଅନୁଗୋଳ ସର୍କିଟ ହାଉସଠାରେ OSCPCR ଓ ୟୁନିସେଫ୍ର ମିଳିତ ସହଯୋଗରେ ପରିବାରଭିତ୍ତିକ ଶିଶୁ ଯତ୍ନ ଏବଂ ପରିବାରରୁ ଶିଶୁ ବିଚ୍ଛିନ୍ନତା ରୋକିବା ନେଇ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ ହୋଇଛି।
କାର୍ଯ୍ୟକ୍ରମରେ OSCPCR ଅଧ୍ୟକ୍ଷା ବବିତା ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକ ଶିଶୁଙ୍କ ପାଇଁ ଶେଷ ବିକଳ୍ପ ହେବା ଉଚିତ୍ ବୋଲି କହିଥିଲେ। ଶିଶୁଙ୍କୁ ଫୋଷ୍ଟର କେୟାର ଓ କିନ୍ସିପ୍ କେୟାର ଭଳି ପରିବାରଭିତ୍ତିକ ସେବା ଯୋଗାଇବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ୟୁନିସେଫ୍ର ଶିଶୁ ସୁରକ୍ଷା ପରାମର୍ଶଦାତା ଅଙ୍କିତ କେଶରୀ ବୈଷୟିକ ଅଧିବେଶନ ପରିଚାଳନା କରିଥିଲେ। ଏଥିରେ ଶିଶୁ ସୁରକ୍ଷା, ପରିବାର ସହାୟତା, ଫୋଷ୍ଟର କେୟାର ଓ ଆଫ୍ଟର କେୟାର ସେବା ସମ୍ପର୍କରେ ଆଲୋଚନା ହୋଇଥିଲା।
ଅତିରିକ୍ତ ଜିଲ୍ଲାପାଳ ମାୟାଧର ବେହେରା, OSCPCR ସଦସ୍ୟା କସ୍ତୁରୀ ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ଶତପଥୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ପ୍ରତିନିଧି ଯୋଗଦେଇଥିଲେ। କର୍ମଶାଳାରେ ୫୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ସାମିଲ ହୋଇଥିଲେ।















