ଅନୁଗୋଳ: ଉଚ୍ଚ ସୁଧର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅନୁଗୋଳର ଏକ କମ୍ପ୍ୟୁଟର ସଂସ୍ଥା ସମେତ ଓଡ଼ିଶାର ୧୦ଟି ସ୍ଥାନରେ ଗତ ୪ ତାରିଖରେ ଇଡି ଚଢ଼ାଉ କରିଥିଲା। ଏହି ମାମଲାରେ ପ୍ରାୟ ୧୨୨ କୋଟି ଟଙ୍କାର ବେଆଇନ ଅର୍ଥ କାରବାର ଅଭିଯୋଗ ହୋଇଥିବାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି।
ଅଭିଯୋଗ ଅନୁସାରେ, କୋଲକାତାର ଏକ ଫାଇନାନ୍ସ ସଂସ୍ଥା ସହ ମିଶି ଅନୁଗୋଳର କିଛି ଦଲାଲ ଲୋକଙ୍କୁ ଅଧିକ ସୁଧର ପ୍ରଲୋଭନ ଦେଖାଇ ଟଙ୍କା ନେଇଥିଲେ। ପରେ ସେମାନେ ଲୋକଙ୍କୁ ଧରାଛୁଆଁ ଦେଇନଥିବା ଅଭିଯୋଗ ହୋଇଛି। ଲୋକଙ୍କ ଟଙ୍କାରେ ବିଦେଶ ଭ୍ରମଣ, ବିଳାସପୂର୍ଣ୍ଣ ଜୀବନଯାପନ ଏବଂ ଆଖି ଝଲସା କୋଠା ନିର୍ମାଣ କରିଥିବା ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ଏପରିକି କୋଠାରେ ଗୁପ୍ତ ସୁଡ଼ଙ୍ଗ ଥିବା ନେଇ ମଧ୍ୟ ଆଲୋଚନା ହେଉଛି।
ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିବା ସହ ଠକେଇ ଟଙ୍କା ଫେରାଇ ଆଣିବାକୁ ସାଧାରଣରେ ଦାବି ହେଉଛି।















