ଅନୁଗୋଳ: ଅନୁଗୋଳ ଜିଲ୍ଲାର କଣିହାଁସ୍ଥିତ ପବିତ୍ର ମୋହନ ସଭାଗୃହଠାରେ ସୋମବାର ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ମୋଟ ୬୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୫୩ଟି ବ୍ୟକ୍ତିଗତ ଓ ୧୨ଟି ଗ୍ରାମ୍ୟଭିତ୍ତିକ ରହିଥିଲା। ୯ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା। ୪ ଜଣ ହିତାଧିକାରୀଙ୍କୁ ରେଡକ୍ରସ ପାଣ୍ଠିରୁ ମୋଟ ୨୨ ହଜାର ୫୦୦ ଟଙ୍କାର ଚିକିତ୍ସା ସହାୟତା ରାଶି ପ୍ରଦାନ କରାଯାଇଥିଲା।
ଶିବିରରେ ଗ୍ରାମ୍ୟ ସମସ୍ୟା, ସ୍ୱାସ୍ଥ୍ୟ, ଗ୍ରାମୀଣ ଆବାସ, ଜମିଜମା ସମ୍ବନ୍ଧୀୟ ସମସ୍ୟା ଏବଂ ବିଭିନ୍ନ ବ୍ୟକ୍ତିଗତ ଅଭିଯୋଗ ନେଇ ଲୋକମାନେ ଜିଲ୍ଲାପାଳଙ୍କ ନିକଟରେ ନିଜ ଅଭିଯୋଗ ଉପସ୍ଥାପନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ତାଳଚେର ଉପଜିଲ୍ଲାପାଳ ପ୍ରଜ୍ଞାନନ୍ଦନ ଗିରି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଦିଲ୍ଲୀପ କୁମାର ପଟ୍ଟନାୟକ, ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ନିଖିଲ କୁମାର ପଟ୍ଟନାୟକ, କଣିହାଁ ବିଡିଓ ତ୍ରିବିକ୍ରମ କୁମୁରା, ତହସିଲଦାର ପ୍ରଣବ ରଞ୍ଜନ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।















