ଅନୁଗୋଳ : ଜାତୀୟ ରାଜପଥ-୫୫ କଡ଼ରେ ଦୁଇ ଟ୍ରକ୍ ଚାଳକଙ୍କୁ ଭୟଭୀତ କରି ଟଙ୍କା ଓ ମୋବାଇଲ୍ ଲୁଟ୍ ଘଟଣାରେ ଅନୁଗୋଳ ସଦର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଖଲାରୀ ଗୁଡ଼ିସାହିର ସୁବ୍ରତ ନାଥ ଓରଫ ଚିଣ୍ଟୁ (୨୦)। ତାଙ୍କ ନିକଟରୁ ଲୁଟ୍ ହୋଇଥିବା ମୋବାଇଲ୍ ଫୋନ୍ ସହ ୨୧ ହଜାର ୫୦୦ ଟଙ୍କା ଜବତ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଗତ ୪ ତାରିଖରେ ଦୁଇଜଣ ଟ୍ରକ୍ ଚାଳକ ଲିଙ୍ଗରାଯୋଡ଼ି ନାଳ ନିକଟରେ ନିଜ ନିଜ ଗାଡ଼ି ରଖି ଗାଧୋଇବାକୁ ଯାଇଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ଉଭୟଙ୍କୁ ଅଟକାଇ ଟଙ୍କା ଓ ମୋବାଇଲ୍ ଛଡ଼ାଇ ନେଇଥିଲେ। ଜଣେ ଚାଳକଙ୍କଠାରୁ ୩ ହଜାର ୫୦୦ ଟଙ୍କା ଏବଂ ଅନ୍ୟ ଜଣଙ୍କଠାରୁ ୨୦ ହଜାର ଟଙ୍କା ସହ ଏକ ଓପୋ ମୋବାଇଲ୍ ଫୋନ୍ ଲୁଟ୍ କରିଥିଲେ। ଏହାକୁ ପ୍ରତିରୋଧ କରିବାରୁ ଜଣେ ଚାଳକଙ୍କୁ ମୁଥ ମାରି ଆକ୍ରମଣ କରିଥିଲେ।
ଏନେଇ ଅଭିଯୋଗ ପରେ ସଦର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ତଦନ୍ତ ସମୟରେ ପୋଲିସ ଅଭିଯୁକ୍ତଙ୍କୁ ପିଛା କରି ଚିଣ୍ଟୁଙ୍କୁ କାବୁ କରିଥିଲା। ତାଙ୍କ ନିକଟରୁ ଲୁଟ୍ ମୋବାଇଲ୍ ଓ ୨୧ ହଜାର ୫୦୦ ଟଙ୍କା ଜବତ କରାଯାଇଛି। ଏନେଇ ସଦର ଥାନାରେ କେସ୍ ନଂ ୧୦୨୪/୨୦୨୬ରେ ବିଏନ୍ଏସ୍ ଧାରା ୩୦୯(୬) ଅନୁଯାୟୀ ମାମଲା ରୁଜୁ ହୋଇଛି।
ଗିରଫ ଅଭିଯୁକ୍ତଙ୍କୁ ୪ ତାରିଖରେ ଅଦାଲତ ଚାଲାଣ କରାଯାଇଛି। ଏହି ଲୁଟ୍ ଘଟଣାରେ ସମ୍ପୃକ୍ତ ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।















