ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଲକ ନଗିରା ଗ୍ରାମରେ ଜିନ୍ଦଲ ଫାଉଣ୍ଡେସନ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଅସହାୟ ଓ ଆବଶ୍ୟକତା ଥିବା ପରିବାରଙ୍କୁ ମଶାରି ବଣ୍ଟନ କରାଯାଇଛି। ମ୍ୟାଲେରିଆ ସମେତ ଅନ୍ୟାନ୍ୟ ମଶାବାହିତ ରୋଗରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏନସିଭିବିଡିସିର ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଇଥିଲା।
ଏଥିରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଉପଜିଲ୍ଲାପାଳ ରବି ନାରାୟଣ ପଟେଲ, ବିଡିଓ ନିଶାନ ମିଶ୍ରଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ ଓ ଜିନ୍ଦଲ ଫାଉଣ୍ଡେସନର ଅଧିକାରୀମାନେ ଯୋଗଦେଇଥିଲେ। ଏହି ଅବସରରେ ମ୍ୟାଲେରିଆ ନିରାକରଣ, ମଶାରିର ସଠିକ୍ ବ୍ୟବହାର ଓ ସ୍ୱଚ୍ଛତା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ବିଧାୟକ ଓ ଉପଜିଲ୍ଲାପାଳ ଜିନ୍ଦଲ ଫାଉଣ୍ଡେସନର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ।















