ମେଣ୍ଟ ଭାଙ୍ଗିବା ପରେ ଦୃଶ୍ୟପଟ ବଦଳୁଛି ଟିକେଟକୁ ନେଇ ବିଜେଡିରେ ଚର୍ଚ୍ଚା ଥମୁନି

You are currently viewing ମେଣ୍ଟ ଭାଙ୍ଗିବା ପରେ ଦୃଶ୍ୟପଟ ବଦଳୁଛି ଟିକେଟକୁ ନେଇ ବିଜେଡିରେ ଚର୍ଚ୍ଚା ଥମୁନି

ଅନୁଗୁଳ: ମେଣ୍ଟ ଚର୍ଚ୍ଚା ନେଇ ଛାତିରୁନ୍ଧା ଉତ୍କଣ୍ଠା ସରିଯିବା ପରେ ଏବେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଟିକେଟ ଆବଣ୍ଟନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।

ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ଅନୁଗୁଳ ବିଧାନ ସଭା ଆସନ ପାଇଁ କିଏ ବିଜେଡି ଟିକେଟ ପାଇବ ସେଥିନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅନୁଗୁଳ ଟାଉନ୍‌,ନାଲକୋ ନଗର,ଅନୁଗୁଳ ବ୍ଲକ୍‌ର ୨୩ ଟି ପଞ୍ଚାୟତ ଏବଂ ବଅଁରପାଳ ବ୍ଲକ୍‌ର ୧୩ ଟି ପଞ୍ଚାୟତକୁ ନେଇ ଅନୁଗୁଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ। ଗତ ଚାରିଥର ନିର୍ବାଚନରେ ବିଜେଡିର ରଜନୀକାନ୍ତ ସିଂହ ବିରୋଧୀଙ୍କୁ ମାତ୍‌ କରି ‌ବିଜୟ ମୁକୁଟ ପିନ୍ଧିଛନ୍ତି। ତା ପୂର୍ବରୁ ରଜନୀଙ୍କ ବାପା ଅଦ୍ଵୈତ ପ୍ରସାଦ‌ ସିଂହ ସିଂହ ମଧ୍ୟ ନିର୍ବାଚନରେ‌ ଜିତିଥିଲେ। ଗତ ୨୦୧୯ ନିର୍ବାଚନରେ ରଜନୀ ୬୫,୩୮୮ ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର‌ ପ୍ରଧାନ ୫୬୫୬୫ ଟି ଭୋଟ ପାଇଥିଲେ ଏବଂ କଂଗ୍ରେସର ବିପ୍ଳବ କୁମାର ଜେନା ୩୦୫୭୨ ଟି ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।ଅନୁଗୁଳ‌ ରାଜନୀତିରେ ରଜନୀଙ୍କୁ ଜଣେ ନରମପନ୍ଥି ନେତା ଭାବେ ଗଣନା କରାଯାଏ। ରଜନୀ ପୂର୍ବରୁ ମନ୍ତ୍ରୀ ଏବଂ ରାଜ୍ୟ ବିଧାନ ସଭାର ଉପବାଚସ୍ପତି‌ ପଦରେ ରହି ସାରିଛନ୍ତି। କିନ୍ତୁ ଚଳିତ ଥର‌ ଲୋକେ ନୂଆ ମୁହଁ ଖୋଜୁଥିବା ନେଇ ଚର୍ଚ୍ଚା ହେଉଛି। ପୂର୍ବରୁ ରଜନିଙ୍କ ଅନୁଗତ ସୁଜିତ୍‌ ଓ ଅଜିତ‌୍ ଦ୍ବିବେଦୀଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ‌ ନିଲମ୍ବନ କରାଯିବା ଘଟଣା ତାଙ୍କୁ‌ ଅଧିକ ଚିନ୍ତାରେ ମଧ୍ୟ ପକାଇଛି। ଅନେକେ‌ ମଧ୍ୟ ତାଙ୍କ ଧର୍ମପତ୍ନୀଙ୍କୁ ଟିକେଟ ଦେବା ସପକ୍ଷରେ ଲବି କରିବା ଆରମ୍ଭ କଲେଣି। ତେବେ ଗତ ଥର ତୃତୀୟ ସ୍ଥାନରେ ଥିବା କଂଗ୍ରେସର ବିପ୍ଳବ ଜେନା ନିକଟରେ ଦଳ ଛାଡି ବିଜେଡିରେ ମିଶି ଥିବାରୁ ବିଜେଡିକୁ ବହୁତ୍‌ ବଡ଼ ଫାଇଦା ମିଳିଛି। ଦଳରେ ପୂର୍ବତନ ତାମଡ଼ା ଅଧ୍ୟକ୍ଷ ଶକ୍ତି ପଟ୍ଟନାୟକ ଓ ବସୁଧା ଉପଦେଷ୍ଟା ଦିନେଶ ପ୍ରଧାନ ମଧ୍ୟ ଆଶାୟୀ ରହିଥିବା ବେଳେ ଟିକେଟ କିନ୍ତୁ‌ରଜନୀଙ୍କ ସପକ୍ଷରେ ଯିବ ବୋଲି ତାଙ୍କ ସମର୍ଥକ ମାନେ ଆଶା କରୁଛନ୍ତି।

ଅନ୍ୟ ଆଶାୟୀଙ୍କ ମଧ୍ୟରେ ଶିକ୍ଷା ସଂଗଠକ ମହେଶ ଧଳ ମଧ୍ୟ ରହିଛନ୍ତି। ସେ‌ ଗତ କିଛି ମାସ ମଧ୍ୟରେ ଅନୁଗୁଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ବୁଲିବା ସହ ଲୋକ ସମ୍ପର୍କ ବୃଦ୍ଧି କରିବାରେ ସଫଳ ହୋଇଛନ୍ତି। ରଜନୀଙ୍କ‌ ଲୋକପ୍ରିୟତା କମୁ ତେଣୁ ନୁଆମୁହଁକୁ ଟିକେଟ ଦିଆଯାଉ ବୋଲି ଅନେକ ଚାହୁଁଛନ୍ତି। ୨୦୧୪ରେ ରଜନୀ ୭୨,୩୭୯ ଟି ଭୋଟ ପାଇଥିବା ବେଳେ ୨୦୧୯ ରେ ୬୫,୩୮୮ ଟି ଭୋଟ ପାଇଥିଲେ। ଇତି ମଧ୍ୟରେ ବିଜେପିର ପ୍ରାର୍ଥୀ ପ୍ରତାପ ପ୍ରଧାନ ନିଜ ସଂଗଠନକୁ ବଢ଼ାଉ ଥିବାବେଳେ ସୋସିଆଲ ମିଡିଆରେ ଏକ ନକାରାତ୍ମକ ଭିଡିଓ ଭାଇରାଲ ହେବା ଫଳରେ ତାଙ୍କର ମଧ୍ୟ ଭାବମୂର୍ତ୍ତି କେତେକାଂଶରେ କ୍ଷୁର୍ଣ୍ଣ ହୋଇଛି। କଂଗ୍ରେସରେ ବିପ୍ଳବ ଦଳ ଛାଡ଼ିବା ପରେ ଏ ଠାରେ ନୂଆ ମୁହଁ ସୁନିଶ୍ଚିତ। ଅମ୍ବିକା ଭଟ୍ଟ ଏଥିପାଇଁ। ପ୍ରମୁଖ ଦାବିଦାର ଥିବାବେଳେ ତାଙ୍କର ସଂଗଠନ ସେତେ ଦୃଢ଼ ନାହିଁ। ଏ କ୍ଷେତ୍ରରେ ବିଜେଡି ନବୀନଙ୍କ ଲୋକପ୍ରିୟତାକୁ ଆଧାର କରି ଅନୁଗୁଳ ବିଧାନ ସଭା ଆସନ ହାତେଇବାକୁ ଯୋଜନା କରୁଛି ।

Share

Leave a Reply