ଅନୁଗୋଳ: ଜିଲ୍ଲାର କଳା ଓ ସଂସ୍କୃତିକୁ ନୂଆ ପରିଚୟ ଦେବା ଲକ୍ଷ୍ୟରେ ‘ଆମ କଳାକାର’ (CTMS 2.0) ପୋର୍ଟାଲରେ ପଞ୍ଜୀକୃତ ସାଂସ୍କୃତିକ ଦଳଙ୍କ ଜିଲ୍ଲାସ୍ତରୀୟ ଚୟନ ପ୍ରକ୍ରିୟା ବୁଧବାର ଜିଲ୍ଲା ପାଠାଗାର ପରିସରରେ ଉଦ୍ଘାଟିତ ହୋଇଛି।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି ଚୟନ ପ୍ରକ୍ରିୟା ନଭେମ୍ବର ୧୪ ପର୍ଯ୍ୟନ୍ତ ଚାଲିବ। ଏଥିରେ ମନୋନୀତ ସାଂସ୍କୃତିକ ଦଳଗୁଡ଼ିକ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ କଳା ପରିବେଷଣର ସୁଯୋଗ ପାଇବେ।
ଉଦ୍ଘାଟନୀ ଦିବସରେ ବିଚାରକ ଭାବେ ପ୍ରିୟରାମ ପ୍ରଧାନ, ହଳଧର ଦାସ ଓ ବୃନ୍ଦାବନ ମାଝୀ ଉପସ୍ଥିତ ରହି କଳାକାରଙ୍କ ପରିବେଷଣର ମୂଲ୍ୟାୟନ କରିଥିଲେ। ଏହି ପଦକ୍ଷେପ ଜିଲ୍ଲାର ଲୋକକଳା ଓ ପାରମ୍ପରିକ ସଂସ୍କୃତିର ପ୍ରଚାର ସହ ସ୍ଥାନୀୟ କଳାକାରଙ୍କୁ ନୂଆ ପରିଚୟ ଓ ରୋଜଗାରର ସୁଯୋଗ ଦେବାରେ ସହାୟକ ହେବ ବୋଲି ଆଶା କରାଯାଇଛି।















