ଅନୁଗୋଳ: ଶିଳ୍ପ ଓ ଖଣିଖାଦାନ ପାଇଁ ପରିଚିତ ଅନୁଗୋଳ ଜିଲ୍ଲା ଏବେ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ପରିଚୟ ସୃଷ୍ଟି କରିବାକୁ ଯାଉଛି। ସାତକୋଶିଆର ପ୍ରାକୃତିକ ପରିବେଶକୁ ଆଧାର କରି ଗୁରୁଧିଠାରେ ନିର୍ମାଣ ହେବାକୁ ଯାଉଛି ଅତ୍ୟାଧୁନିକ ‘ସୂର୍ଯ୍ୟବନ’ ଇକୋ-ରିସର୍ଟ। ବୁଧବାର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ, ସୂର୍ଯ୍ୟବନ କେବଳ ଏକ ପଞ୍ଚତାରକା ହୋଟେଲ ନୁହେଁ, ବରଂ ଏହା ସ୍ଥାନୀୟ ଅର୍ଥନୀତି ଓ ଗ୍ରାମୀଣ ରୋଜଗାରର ଏକ ନୂଆ ମାଧ୍ୟମ ହେବ। ଏହି ପ୍ରକଳ୍ପ ସହ ଆତିଥେୟତା କ୍ଷେତ୍ରରେ ଏକ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ଗଢ଼ିଉଠିବ। ଏଠାରେ ସ୍ଥାନୀୟ ଯୁବକଯୁବତୀଙ୍କୁ ତାଲିମ ଦିଆଯାଇ ଦେଶ ଓ ବିଦେଶରେ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରାଯିବ।
ସେହିପରି ଆଠମଲ୍ଲିକର ବୁଣାକାର, ଢେଙ୍କାନାଳର କାରିଗର ଏବଂ ସ୍ଥାନୀୟ ଚାଷୀଙ୍କ ଉତ୍ପାଦକୁ ଏହି ପ୍ରକଳ୍ପ ସହ ଯୋଡ଼ାଯିବ। ଅର୍ଗାନିକ୍ ପନିପରିବା, ମାଣ୍ଡିଆ, ଚାଉଳ ଓ ଡାଲି ଭଳି ପାରମ୍ପରିକ ଖାଦ୍ୟକୁ ଏଠାରେ ପ୍ରୋତ୍ସାହନ ଦିଆଯିବ। ଫଳରେ ସ୍ଥାନୀୟ ଚାଷୀ ଓ କାରିଗରମାନେ ମଧ୍ୟ ଆର୍ଥିକ ଭାବେ ଉପକୃତ ହୋଇପାରିବେ।

ଅନୁଗୋଳ ଓ ସାତକୋଶିଆର ଐତିହାସିକ, ସାଂସ୍କୃତିକ ତଥା ପ୍ରାକୃତିକ ସମ୍ପଦର ଉପଯୁକ୍ତ ଉପଯୋଗ ଉପରେ ଗୁରୁତ୍ୱ ଦେଇ ସେ କହିଥିଲେ, ବନ୍ୟପ୍ରାଣୀଙ୍କ ସୁରକ୍ଷା ସହ ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରାଯିବ। ଏହାଦ୍ୱାରା ଅନୁଗୋଳ ଏକ ପ୍ରମୁଖ ଇକୋ-ଟୁରିଜିମ୍ ହବ୍ ଭାବେ ପରିଚିତ ହୋଇପାରିବ।

ଏହାପୂର୍ବରୁ ଶ୍ରୀ ପ୍ରଧାନ ତାଳଚେରଠାରେ ନବନିର୍ମିତ ଐତିହାସିକ ‘ପ୍ରଜାମଣ୍ଡଳ ଭବନ’କୁ ଲୋକାର୍ପଣ କରିଥିଲେ। ଏହି ଭବନ ତାଳଚେରର ବୌଦ୍ଧିକ ଓ ସାଂସ୍କୃତିକ ବିକାଶର କେନ୍ଦ୍ର ହେବା ସହ ବିଭିନ୍ନ ସଭାସମିତି ଓ ସାମାଜିକ କାର୍ଯ୍ୟକ୍ରମ ପାଇଁ ଉପଯୋଗୀ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ସମେତ ସ୍ଥାନୀୟ ବିଧାୟକମାନେ ଉପସ୍ଥିତ ଥିଲେ।
















