ଅନୁଗୋଳ: ତାଳଚେର ମା’ ହିଙ୍ଗୁଳା ମନ୍ଦିରର ସାମଗ୍ରିକ ବିକାଶ ଓ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଓ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗଦେଇ ମନ୍ଦିରର ବିକାଶ ନେଇ ମତାମତ ରଖିଥିଲେ।
ମନ୍ଦିରର ପାରମ୍ପରିକ ଓ ଧାର୍ମିକ ଗାରିମାକୁ ଅକ୍ଷୁଣ୍ଣ ରଖି ନାଟ୍ୟ ମଣ୍ଡପ ଓ ଯଜ୍ଞ ମଣ୍ଡପ ନିର୍ମାଣ ପାଇଁ ରାଜ୍ୟର ବରିଷ୍ଠ ସ୍ଥପତିଙ୍କ ସହ ଆଇଆଇଟି ବିଶେଷଜ୍ଞଙ୍କ ବୈଷୟିକ ପରାମର୍ଶ ନିଆଯିବ। ଏଥିସହ ମନ୍ଦିରର ଉନ୍ନୟନ କାର୍ଯ୍ୟ ପାଇଁ ଏମ୍ସିଏଲ୍ର ସିଏସ୍ଆର୍ ପାଣ୍ଠିରୁ ଆର୍ଥିକ ସହାୟତା ନେବା ନେଇ ଆଲୋଚନା ହୋଇଛି।
ବୈଠକରେ ତାଳଚେର ଉପଜିଲ୍ଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି ପ୍ରଜ୍ଞାନନ୍ଦନ ଗିରି, ଏସ୍ଡିପିଓ ଭରତ ଚନ୍ଦ୍ର ସାହୁ, ତହସିଲଦାର ଆଲଫା ଜେନା, ଏମ୍ସିଏଲ୍ ହିଙ୍ଗୁଳା କ୍ଷେତ୍ରର ମହାପ୍ରବନ୍ଧକ ସୁନୀଲ ବଂଶଲ ଯୋଶୀଙ୍କ ସମେତ ୧୭ ଜଣ ସଦସ୍ୟ ଉପସ୍ଥିତ ଥିଲେ। ଟ୍ରଷ୍ଟର ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା, କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ଓ ଭକ୍ତଙ୍କ ପାଇଁ ଅଧିକ ସୁବିଧା ଯୋଗାଇବା ଉପରେ ମଧ୍ୟ ବୋର୍ଡ ଗୁରୁତ୍ୱ ଦେଇଛି।















