ବିଷାକ୍ତ ଖାଦ୍ୟ ନେଲା ୧୦ ଛେଳିଙ୍କ ଜୀବନ: ବାର୍‌ହା ପାଇଁ ବିଛାଯାଇଥିଲା ଜାଲ, ଫସିଗଲେ ଗୃହପାଳିତ ପଶୁ

You are currently viewing ବିଷାକ୍ତ ଖାଦ୍ୟ ନେଲା ୧୦ ଛେଳିଙ୍କ ଜୀବନ: ବାର୍‌ହା ପାଇଁ ବିଛାଯାଇଥିଲା ଜାଲ, ଫସିଗଲେ ଗୃହପାଳିତ ପଶୁ

ଅନୁଗୋଳ: ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଷାକ୍ତ ଖାଦ୍ୟ ଏବେ ଗୃହପାଳିତ ପଶୁଙ୍କ ପାଇଁ କାଳ ସାଜିଛି। ବାର୍‌ହା ଶିକାର ଉଦ୍ଦେଶ୍ୟରେ ବିଛାଯାଇଥିବା ସନ୍ଦିଗ୍ଧ ବିଷମିଶ୍ରିତ ଖାଦ୍ୟ ଖାଇ ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତ କଲେଜସାହିରେ ୧୦ଟି ଛେଳିଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ଅଞ୍ଚଳରେ ତୀବ୍ର ଉଦ୍‌ବେଗ ପ୍ରକାଶ ପାଇଛି। ମୃତ ଛେଳିଗୁଡ଼ିକ କୈଳାଶ ବିଶ୍ୱାଳଙ୍କ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, କଲେଜସାହି ଅଞ୍ଚଳରେ ବାର୍‌ହା ଶିକାର ପାଇଁ କେହି ସାର ମିଶ୍ରିତ ବିଷାକ୍ତ ଖାଦ୍ୟ ବିଛାଇଥିବା ସନ୍ଦେହ କରାଯାଉଛି। ଅସାବଧାନତାବଶତଃ ଛେଳିମାନେ ଏହା ଖାଇଦେବାରୁ ଗୋଟିଏ ପରେ ଗୋଟିଏ କରି ୧୦ଟି ଛେଳିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଛେଳି ପାଳନକୁ ଜୀବିକାର ମାଧ୍ୟମ କରିଥିବା କୈଳାଶଙ୍କ ପରିବାର ଏହି ଘଟଣାରେ ବଡ଼ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଗୋଟିଏ ଘଟଣାରେ ଏତେ ସଂଖ୍ୟକ ପଶୁଙ୍କ ମୃତ୍ୟୁ ଗ୍ରାମବାସୀଙ୍କୁ ଚିନ୍ତିତ କରିଛି। ବିଷାକ୍ତ ଖାଦ୍ୟ ବିଛାଇବା ଦ୍ୱାରା ବନ୍ୟଜନ୍ତୁଙ୍କ ସହ ଗୃହପାଳିତ ପଶୁ ଓ ଅନ୍ୟ ଜୀବଜନ୍ତୁ ମଧ୍ୟ ବିପଦରେ ପଡ଼ୁଥିବାରୁ ଏଭଳି କାର୍ଯ୍ୟ ଉପରେ ରୋକ୍ ଲଗାଇବାକୁ ଦାବି ହୋଇଛି।

ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ନିରଜକାନ୍ତ ସାହୁ କ୍ଷତିଗ୍ରସ୍ତ ପରିବାରକୁ ପ୍ରଶାସନ ମାଧ୍ୟମରେ ଉପଯୁକ୍ତ କ୍ଷତିପୂରଣ ଯୋଗାଇଦେବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଏଥିସହ ଘଟଣାର ଉଚିତ ତଦନ୍ତ କରି ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସହ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Share

Leave a Reply