ଅନୁଗୋଳ ପୋଲିସର ସ୍ୱତନ୍ତ୍ର ଅଭିଯାନ ‘ଅନ୍ୱେଷଣ’: ୮ ଦିନରେ ୧୦୩ ନିଖୋଜ ମହିଳା ଓ ଶିଶୁ ଉଦ୍ଧାର, ପରିବାରକୁ ଫେରାଇଲା ପୋଲିସ

You are currently viewing ଅନୁଗୋଳ ପୋଲିସର ସ୍ୱତନ୍ତ୍ର ଅଭିଯାନ ‘ଅନ୍ୱେଷଣ’: ୮ ଦିନରେ ୧୦୩ ନିଖୋଜ ମହିଳା ଓ ଶିଶୁ ଉଦ୍ଧାର, ପରିବାରକୁ ଫେରାଇଲା ପୋଲିସ

ଅନୁଗୋଳ: ନିଖୋଜ ମହିଳା ଓ ଶିଶୁଙ୍କୁ ଖୋଜି ସେମାନଙ୍କ ପରିବାର ସହ ମିଶାଇବା ଲକ୍ଷ୍ୟରେ ଅନୁଗୋଳ ପୋଲିସ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ‘ଅପରେସନ୍ ଅନ୍ୱେଷଣ’ ସଫଳ ହୋଇଛି। ନଭେମ୍ବର ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଜିଲ୍ଲାବ୍ୟାପୀ ଅଭିଯାନରେ ମୋଟ ୧୦୩ ଜଣ ନିଖୋଜଙ୍କୁ ଉଦ୍ଧାର କରାଯାଇଛି। ଏଥିରେ ୯୦ ଜଣ ମହିଳା ଓ ୧୩ ଜଣ ଶିଶୁ (୩ ଜଣ ବାଳକ ଓ ୧୦ ଜଣ ବାଳିକା) ରହିଛନ୍ତି।

କଟକସ୍ଥିତ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅନୁଗୋଳ ଏସ୍‌ପି ରାହୁଲ ଜୈନଙ୍କ ତତ୍ତ୍ୱାବଧାନରେ ଏହି ଅଭିଯାନ ଚାଲିଥିଲା। ନିଖୋଜ ସମ୍ପର୍କିତ ଅଭିଯୋଗ ଓ ବିଶ୍ୱସନୀୟ ସୂଚନା ଆଧାରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସର ଏକାଧିକ ଟିମ୍ ନିୟୋଜିତ ହୋଇଥିଲେ। ନିରନ୍ତର ଉଦ୍ୟମ, ବୈଷୟିକ ନିରୀକ୍ଷଣ ଏବଂ ଅନ୍ୟ ଜିଲ୍ଲା ଓ ସଂସ୍ଥା ସହ ସମନ୍ୱୟ ରକ୍ଷା କରି ନିଖୋଜ ମହିଳା ଓ ଶିଶୁଙ୍କୁ ଠାବ କରାଯାଇ ସୁରକ୍ଷିତ ଭାବେ ପରିବାରକୁ ଫେରାଇ ଦିଆଯାଇଛି।

ଅନୁଗୋଳ ପୋଲିସର ପ୍ରେସ୍‌ ବିଜ୍ଞପ୍ତି ଅନୁସାରେ, ଅନୁଗୋଳ ଟାଉନ୍ ଥାନାରୁ ୭ ଜଣ ମହିଳା, ସଦରରୁ ୮ ଜଣ ମହିଳା ଓ ଜଣେ ଶିଶୁ, ନାଲକୋରୁ ୬ ଜଣ ମହିଳା ଓ ଜଣେ ଶିଶୁ, ବଅଁରପାଳରୁ ୧୧ ଜଣ ମହିଳା ଓ ଜଣେ ଶିଶୁ, ଛେଣ୍ଡିପଦାରୁ ୨ ଜଣ ମହିଳା ଏବଂ ବାଗଡ଼ିଆରୁ ୩ ଜଣ ମହିଳା ଓ ଜଣେ ଶିଶୁ ଉଦ୍ଧାର ହୋଇଛନ୍ତି।

ସେହିପରି ନିଶା ଇଣ୍ଡଷ୍ଟ୍ରିଆଲ ଥାନାରୁ ୨ ଜଣ ମହିଳା ଓ ଜଣେ ଶିଶୁ, ବନ୍ତଳାରୁ ଜଣେ ଶିଶୁ, ଜରପଡ଼ାରୁ ୪ ଜଣ ମହିଳା ଓ ଜଣେ ଶିଶୁ, ପୁରୁଣାକୋଟରୁ ୪ ଜଣ ମହିଳା, ତାଳଚେରରୁ ୯ ଜଣ ମହିଳା, କୋଲିୟରୀରୁ ୪ ଜଣ ମହିଳା ଓ ଜଣେ ଶିଶୁ ଏବଂ ଗୋପାଳପ୍ରସାଦରୁ ୨ ଜଣ ମହିଳା ଉଦ୍ଧାର ହୋଇଛନ୍ତି।

ଅନ୍ୟପକ୍ଷରେ ସମଲରୁ ଜଣେ ମହିଳା ଓ ଜଣେ ଶିଶୁ, ବିକ୍ରମପୁରରୁ ଜଣେ ମହିଳା, ଏନ୍‌ଟିପିସିରୁ ୨ ଜଣ ମହିଳା ଓ ଜଣେ ଶିଶୁ, ଆଠମଲ୍ଲିକରୁ ଜଣେ ଶିଶୁ, ହଣ୍ଡପାରୁ ୩ ଜଣ ମହିଳା, କିଶୋରନଗରରୁ ୪ ଜଣ ମହିଳା, ଠାକୁରଗଡ଼ରୁ ୨ ଜଣ ମହିଳା ଓ ଜଣେ ଶିଶୁ, କିଆକଟାରୁ ଜଣେ ମହିଳା, ପାଲଲହଡ଼ାରୁ ୩ ଜଣ ମହିଳା, ଖମାରରୁ ୩ ଜଣ ମହିଳା, କଣିହାଁରୁ ୬ ଜଣ ମହିଳା ଏବଂ ରେଙ୍ଗାଳିରୁ ୨ ଜଣ ମହିଳା ଓ ଜଣେ ଶିଶୁଙ୍କୁ ଉଦ୍ଧାର କରାଯାଇଛି।

ଅନୁଗୋଳ ପୋଲିସ ପକ୍ଷରୁ କୁହାଯାଇଛି ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କ ସୁରକ୍ଷା ଓ ନିଖୋଜଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ପୋଲିସ ପ୍ରତିବଦ୍ଧ। ଅବଶିଷ୍ଟ ନିଖୋଜ ବ୍ୟକ୍ତିଙ୍କୁ ଠାବ କରିବା ପାଇଁ ସମସ୍ତ ଥାନାକୁ ନିରନ୍ତର ଉଦ୍ୟମ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share

Leave a Reply