ଛେଣ୍ଡିପଦାରେ GMDC-GVT ପକ୍ଷରୁ ‘ମାଇସେପ୍’ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ଖଣି ଅଞ୍ଚଳର ଯୁବପିଢ଼ିଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମିଳିବ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ

You are currently viewing ଛେଣ୍ଡିପଦାରେ GMDC-GVT ପକ୍ଷରୁ ‘ମାଇସେପ୍’ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ଖଣି ଅଞ୍ଚଳର ଯୁବପିଢ଼ିଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମିଳିବ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ

ଅନୁଗୋଳ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ ସ୍ଥାନୀୟ ଯୁବକଯୁବତୀଙ୍କୁ ଉତ୍ତମ କ୍ୟାରିୟର ସୁଯୋଗ ଓ ମାର୍ଗଦର୍ଶନ ଯୋଗାଇଦେବା ଲକ୍ଷ୍ୟରେ GMDC-GVT ପକ୍ଷରୁ ‘ମାଇସେପ୍’ (ମାଇନିଂ ୟୁଥ୍ କମ୍ପିଟିଟିଭ୍ ଏମ୍ପାୱାରମେଣ୍ଟ ପ୍ରୋଗ୍ରାମ) ଆରମ୍ଭ କରାଯାଇଛି। ସୋମବାର ଛେଣ୍ଡିପଦା ବାପୁଜୀ କଲେଜ ପରିସରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।

GMDC-GVT, ଆଇଆଇଟି ଭୁବନେଶ୍ୱର ରିସର୍ଚ୍ଚ ଆଣ୍ଡ ଏଣ୍ଟରପ୍ରିନ୍ୟୋରସିପ୍ ପାର୍କ ଏବଂ ବିଦ୍ୟାଭବନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ଏକ ତ୍ରିପାକ୍ଷିକ CSR ପ୍ରକଳ୍ପ ଭାବେ କାର୍ଯ୍ୟକାରୀ କରାଯାଉଛି। ଏଥିରେ GMDC-GVT ଆର୍ଥିକ ସହାୟତା ଯୋଗାଉଥିବାବେଳେ ଆଇଆଇଟି ଭୁବନେଶ୍ୱର ରିସର୍ଚ୍ଚ ଆଣ୍ଡ ଏଣ୍ଟରପ୍ରିନ୍ୟୋରସିପ୍ ପାର୍କ ତଦାରଖ ଦାୟିତ୍ୱ ଏବଂ ବିଦ୍ୟାଭବନ କାର୍ଯ୍ୟକ୍ରମର ରୂପାୟନ ଦାୟିତ୍ୱ ନେଇଛି। ଏହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ନିୟମିତ କୋଚିଂ, ଦକ୍ଷତା ବିକାଶ, ମେଣ୍ଟରସିପ୍ ଓ କ୍ୟାରିୟର ସମ୍ପର୍କିତ ମାର୍ଗଦର୍ଶନ ପ୍ରଦାନ କରାଯିବ।

ଉଦ୍‌ଘାଟନୀ ଉତ୍ସବରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଛେଣ୍ଡିପଦା ଡିଆଇଇଟିର ଅଧ୍ୟକ୍ଷ ବିକ୍ରମ କୁମାର ସାହୁ, ବାପୁଜୀ କଲେଜର ଅଧ୍ୟକ୍ଷ ଧର୍ମରାଜ ତ୍ରିପାଠୀ, GMDC ବୈତରଣୀ ୱେଷ୍ଟର ପିପି ଆଣ୍ଡ ଏ ବିଭାଗ ମୁଖ୍ୟ ନାଗେନ୍ଦ୍ର ମୁପକଲୱାର ଏବଂ ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁଦୀପ ଗଡ଼ନାୟକ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା।

ବାପୁଜୀ କଲେଜର ଅଧ୍ୟକ୍ଷ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଏଭଳି ଏକ ଅଭିନବ ପଦକ୍ଷେପ ପାଇଁ GMDC-GVTକୁ ସାଧୁବାଦ ଜଣାଇଥିଲେ। ନାଗେନ୍ଦ୍ର ମୁପକଲୱାର କଲେଜ କର୍ତ୍ତୃପକ୍ଷଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେବା ସହ ଛାତ୍ରଛାତ୍ରୀମାନେ ଏହି ସୁଯୋଗର ସଦୁପଯୋଗ କରି ପାଠପଢ଼ା ଓ ନୂତନ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ।

ବିଧାୟକ ଅଗସ୍ତି ବେହେରା ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ କୃତ୍ରିମ ବୁଦ୍ଧିମତ୍ତା (AI), ଦକ୍ଷତା ବିକାଶ, ସରକାରୀ ଚାକିରି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା ଏବଂ ଖଣି କ୍ଷେତ୍ରରେ ରହିଥିବା ନୂତନ ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମ ଅଧୀନରେ SSC, ବ୍ୟାଙ୍କିଂ, ରେଳବାଇ ଓ OSSSC ଭଳି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ କୋଚିଂ, ଶିକ୍ଷାଗତ ସହାୟତା ଓ ମାର୍ଗଦର୍ଶନ ଦିଆଯିବ। ଛେଣ୍ଡିପଦା ଡିଆଇଇଟିର ଅଧ୍ୟକ୍ଷ ବିକ୍ରମ କୁମାର ସାହୁ ଏହି ଅଞ୍ଚଳରେ ଏଭଳି ପଦକ୍ଷେପ ପୂର୍ବରୁ ଦେଖିନଥିବା ପ୍ରକାଶ କରିବା ସହ ଛାତ୍ରଛାତ୍ରୀଙ୍କୁ ଉପଲବ୍ଧ ସମସ୍ତ ସୁବିଧାର ସଦୁପଯୋଗ କରି ନିଜ ଲକ୍ଷ୍ୟ ହାସଲ କରିବାକୁ ପରାମର୍ଶ ଦେଇଥିଲେ।
ଉଦ୍‌ଘାଟନୀ ଉତ୍ସବରେ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସମେତ ବାପୁଜୀ କଲେଜର ଅଧ୍ୟକ୍ଷ ଓ ଅଧ୍ୟାପକ ଯୋଗଦେଇଥିଲେ।

Share

Leave a Reply