ଅନୁଗୁଳ: ଜଣେ ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଅନୁଗୁଳର ସ୍ୱତନ୍ତ୍ର ପୋକସୋ କୋର୍ଟ ବୁଧବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ୩ ସେପ୍ଟେମ୍ବର ୨୦୨୩ରେ ଏନ.ଟି.ପି.ସି ଥାନା ଅନ୍ତର୍ଗତ ଟୋଲକବେଡା ଗ୍ରାମର ବିଶ୍ୱାସ ନାଏକ ଜଣେ ୧୩ ବର୍ଷୀୟା ନାବାଳିକାକୁ ପ୍ରଲୋଭିତ କରି ଆନ୍ଧ୍ରପ୍ରଦେଶକୁ ନେଇଯାଇଥିଲା। ସେଠାରେ ସେ ନାବାଳିକାଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଝିଅ ନିଖୋଜ ନେଇ ତାଙ୍କ ପିତା ଏନ.ଟି.ପି.ସି ଥାନାରେ ଏକ ଏତଲା ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରି ଆନ୍ଧ୍ରପ୍ରଦେଶରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ବିଶ୍ୱାସକୁ ଗିରଫ କରିଥିଲା। ପୋଲିସ ପକ୍ଷରୁ ଧାରା 376(3), 376(2)(n) ଏବଂ ପୋକସୋ ଆକ୍ଟର ଧାରା 4(2)/6 ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା। ପୋକସୋ କୋର୍ଟ ଜଜ୍ ସୌମ୍ୟା ଶୁଭଦର୍ଶିନୀ ଏହି ମାମଲାର ଶୁଣାଣି କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ ଜେଲ ଦଣ୍ଡ ଓ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଆଦେଶ ଦେଇଛନ୍ତି। ମାମଲାକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି ଦିଲୀପ କୁମାର ଦାସ ପରିଚାଳନା କରୁଥିଲେ।


