ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ, ଆଠମଲ୍ଲିକ ଓ ଛେଣ୍ଡିପଦା ବ୍ଲକରେ ଦୀର୍ଘ ବର୍ଷ ଧରି ପ୍ରାଣୀ ସମ୍ପଦ ବିଭାଗରେ କାର୍ଯ୍ୟ କରି ଆସୁଥିବା ଶିବଶଙ୍କର ଏ ଆଇ ୱାର୍କରମାନେ ସ୍ଥାୟୀ ନିଯୁକ୍ତି ଦାବି କରି ବିଭାଗୀୟ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ପ୍ରାଣୀ ସମ୍ପଦ ବିଭିନ୍ନ ବ୍ଲକର ଏ ଆଇ କର୍ମଚାରୀ ମାନେ ଗତ ୨୦୧୮ ମସିହାରୁ ସରକାରଙ୍କର ଏନଆଇପି ଯୋଜନାରେ ସାମିଲ ହୋଇ ମାଗଣାରେ ଘରଘର ବୁଲି ଗୋମାତାଙ୍କ ସେବା କରିଥାନ୍ତି। ମାତ୍ର ସେମାନଙ୍କ ପାଇଁ କୌଣସି ପ୍ରୋତ୍ସାହନ ରାଶି ନ ଥିବାରୁ ପରିବାର ଗୁଜୁରାଣ ମେଣ୍ଟାଇବାରେ ସମସ୍ୟା ହେଉଛି ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ବିନା ପ୍ରୋତ୍ସାହନରେ କାର୍ଯ୍ୟ କରିବା କଷ୍ଟକର ହେଉଛି ବୋଲି ସଂଘର ରାଜ୍ୟ ସଭାପତି ମହେନ୍ଦ୍ର ମହାନ୍ତି, ରାଜ୍ୟ ସଂପାଦକ ଶତ୍ରୁଘନ ପ୍ରଧାନ, କୁଳମଣି ମଲ୍ଲିକ, ବିଶ୍ୱନାଥ ମହାରଣା, ବିବେକାନନ୍ଦ ନାୟକ, ଅଭିଲିପ୍ସା ଜୟସିଂହ, ଅରକ୍ଷିତ ନାଗ, ଅନୁଗୁଳ ଜିଲ୍ଲା ସଭାପତି ମାନେଶ୍ଵର ସାହୁ ଓ ସମ୍ପାଦକ ଅଶୋକ କୁମାର ଦେହୁରୀ ପ୍ରମୁଖ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ନିଜର ଦୁଃଖ ଜଣାଇବା ସହିତ ଦାବି ପତ୍ର ପ୍ରଦାନ କରିଛନ୍ତି।