ଅନୁଗୁଳ: ଟ୍ରାନ୍ସଫର କରାଇଦେବାକୁ ଧମକ ଦେଇ ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଅନୁଗୁଳରୁ ଆସିଛି ଏଭଳି ଅଭିଯୋଗ। ଏଠାରେ ଫୋନ୍ ଯୋଗେ ଟ୍ରାନ୍ସଫର୍ କରିବାକୁ ଧମକ ଦେଇ ଜଣେ ଅଧୀକ୍ଷଣ ଯନ୍ତ୍ରୀଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟି ନେଇଛି ଧୂର୍ତ୍ତ। ସେତିକିରେ ବି ଠକର ଲୋଭ ସରିନଥିଲା। ଆହୁରି ୫ ଲକ୍ଷ ଟଙ୍କା ମାଗିଥିଲା। ଫଳରେ ବାଧ୍ୟ ହୋଇ ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ କୁମାର ହରିପାଲ ଏୟାରଫିଲ୍ଡ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ସୂଚନା ଅନୁସାରେ, ପ୍ରତାପ କୁମାର ହରିପାଲ ଅନୁଗୁଳ ରାସ୍ତା ଓ କୋଠାବାଡ଼ି ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଭାବେ କାମ କରୁଛନ୍ତି। ପ୍ରାୟ ମାସେ ତଳେ ଜାନକୀବଲ୍ଲଭ ମହାପାତ୍ର ନାମକ ଜଣେ ବ୍ୟକ୍ତି ତାଙ୍କୁ କଲ୍ କରିଥିଲା। ନିଜକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେବା ସହିତ ମାଲକାନଗିରି ବଦଳି କରିଦେବ ବୋଲି ଧମକ ଦେଇଥିଲା। ବଦଳି ରୋକିବାକୁ ହେଲେ ଦୁଇ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ ଆସିଥିବାରୁ ପ୍ରତାପ ଭୟରେ ତା’ କଥାରେ ରାଜି ହୋଇ ଯାଇଥିଲେ। ଜାନକୀଙ୍କ କଥାମାନି ପ୍ରତାପ ତା ଭୀମଟାଙ୍ଗୀ ସ୍ଥିତ ଘରକୁ ଆସି ୨ ଲକ୍ଷ ଟଙ୍କା ଦେଇଥିଲେ। ହେଲେ ଏହାପରେ ବି ଜାନକୀ ପୁଣିଥରେ ଫୋନ୍ କରି ଆହୁରି ୫ ଲକ୍ଷ ଟଙ୍କା ମାଗିଥିଲା। କିନ୍ତୁ ଏଥରକ ପ୍ରତାପ ଅରାଜି ହେବାରୁ ଜାନକୀ ଗାଳିଗୁଲଜ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଶେଷରେ ପ୍ରତାପ କିଛି ବାଟ ନପାଇ ଏୟାରଫିଲ୍ଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ତାଙ୍କ ଅଭିଯୋଗ ଆଧାରରେ ୨୦୧/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା କହିଛି।