ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ସଦର ମହକୁମାରେ ଥିବା କନିଷ୍ଠ ବିଚାର ବିଭାଗୀୟ ଦେୱାନୀ ଅଦାଲତରେ (ଜେଏମଏଫସି କୋର୍ଟ) ବିଚାରପତି ଗତ ୧/୧୦/୨୦୧୮ ମସିହାରେ ଜରପଡା ଥାନା କେସ ନଂ-୧୭୭ରେ ହୋଇଥିବା ମାମଲାର ବିଚାର କରି ଦଣ୍ଡାଦେଶ ଶୁଣାଇଛନ୍ତି। ସ୍ଥାନୀୟ ଜରପଡ଼ା ଥାନା ଜେରେଙ୍ଗଦେହୁରୀସାହି ଲକ୍ଷ୍ମୀଧରପୁର ଗ୍ରାମର ସୁରେଶ ନାଏକ ଓ ତାଙ୍କ ସ୍ତ୍ରୀ ସୁରେଖା ଓରଫ ରଶ୍ମିତା ନାଏକ ସେହି ଗ୍ରାମର ମାଧବ ନାଏକ ଓ ତାଙ୍କ ସାନଭାଇ ଯାଦବ ନାଏକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମୁଣ୍ଡକୁ ଟାଙ୍ଗିଆରେ ହାଣିଥିଲେ। ସେ ସାହାଯ୍ୟ ପାଇଁ ପୋଲିସକୁ କଲ କରିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସିତ କରିଥିଲେ। ଏ ନେଇ ସେ ଜରପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଏହି ମାମଲାରେ ବିଚାରପତି ଶୁଭଲକ୍ଷ୍ମୀ ପଟ୍ଟନାୟକ ୫ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଅଭିଯୁକ୍ତ ସୁରେଶ ନାଏକ ଓ ତାଙ୍କ ସ୍ତ୍ରୀ ସୁରେଖା ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୫ ଶହ ଟଙ୍କା ଜରିମାନା କରିବା ସହିତ ଅନାଦେୟ ହେଲେ ୭ଦିନ କାରାଦଣ୍ଡରେ ଦଣ୍ଡିତ କରିବା ପାଇଁ ଆଦେଶ ଦେଇଛନ୍ତି। ପରେ ୨ୟ କେସରେ ସେହି ଦ୍ୱୟଙ୍କୁ ୨ ହଜାର ଟଙ୍କା ଜରିମାନା କରିବା ସହିତ ଅନାଦେୟ ହେଲେ ୨୦ଦିନ କାରାଦଣ୍ଡରେ ଦଣ୍ଡିତ କରିବା ପାଇଁ ଆଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ(କ୍ୟାଡର)ସର୍ବଜିତ ଶ୍ରୀଚନ୍ଦନ, ସରକାରୀ ଓକିଲ ଲକ୍ଷ୍ମୀଧର ପ୍ରଧାନ ଓ ଓକିଲ ଉତ୍କଳ ପ୍ରଧାନ ପରିଚାଳନା କରିଥିଲେ।