ଅନୁଗୁଳ: ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଫାଷ୍ଟ ଟ୍ରାକ କୋର୍ଟ। ଏଥିସହ ସହଯୋଗ କରିଥିବା ବାପ ମାକୁ ୫ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି।
ସୂଚନା ମୁତାବକ, ବଅଁରପାଳ ଅଞ୍ଚଳର ଜଣେ ନାବାଳିକା ମାମୁଁ ଘରେ ରହି ପଢୁଥିଲା। ୨୫. ୨. ୨୦୨୨ ରାତିରେ ବନ୍ତଳାର ରାଜା ଓରଫ ରଂଜିତ ବାରିକ ନାବାଳିକାକୁ ପ୍ରଲୋଭନ ଦେଖାଇ ଜୋରଜବରଦସ୍ତ ପାଟିରେ କପଡା ଦେଇ ଟେକି ନେଇ ପଳାଇଥିଲା। ଏନେଇ ଜାଣିବା ପରେ ନାବାଳିକାର ପରିବାର ଲୋକେ ରାଜା ଘରକୁ ଯାଇ ପଚରା ଉଚରା କରିଥିଲେ। କିନ୍ତୁ ରାଜାର ବାପା ରଞ୍ଜନ ବାରିକ, ମା ଜୟନ୍ତୀ ବାରିକ ଏବଂ ଭାଇ ସୁଜିତ ବାରିକ ମିଶି ନାବାଳିକାକୁ ନିଜ ଘରେ ତାଲା ପକାଇଦେଇ ତାଙ୍କ ପରିବାର ଲୋକଙ୍କୁ ଟାଙ୍ଗିଆରେ ମାରିବାକୁ ଗୋଡ଼ାଇଥିଲେ। ନାବାଳିକାକୁ ନିଆଁ ଲଗାଇ ପୋଡି ମାରିଦେବାପାଇଁ ଧମକ ଦେଇଥିବା ସମ୍ପର୍କରେ ଝିଅର ପରିବାର ଲୋକେ ବନ୍ତଳା ଥାନାରେ ଲିଖିତ ଏତଲା ଦେଇଥିଲେ। ପୋଲିସ ରାଜା ଓ ତା ମା ବାପାଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କାରି କୋର୍ଟ ଚାଲାଣ କରିଥିଲେ।
ଗୁରୁବାର ଫାଷ୍ଟ ଟ୍ରାକ କୋର୍ଟ ଜଜ ବିରଞ୍ଚି ନାରାୟଣ ମିଶ୍ର ଏହି କେଶର ଶୁଣାଣି କରି ଅଭିଯୁକ୍ତ ରାଜାକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବାସହ ୩୦ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ୧ବର୍ଷ ଜେଲଦଣ୍ଡ ଶୁଣାଣି କରିଛନ୍ତି।
ସେହିପରି ରଞ୍ଜନ ବାରିକ ଏବଂ ଜୟନ୍ତୀ ବାରିକଙ୍କୁ ୫ବର୍ଷ ଜେଲଦଣ୍ଡ ଶୁଣାଣି ଏବଂ ୧୦ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପୀଡ଼ିତାକୁ ୫ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ଅର୍ଥ ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ପ୍ରଦୀପ କୁମାର ଭୂତିଆ ମାମଲା ପରିଚାଳନା କରିଥିଲେ।