ଅଭିନବ ଉପାୟରେ ସାଇବର ଠକେଇ

You are currently viewing ଅଭିନବ ଉପାୟରେ ସାଇବର ଠକେଇ

ଅନୁଗୁଳ: କେୱାଇସି ଅପଡେଟ୍ କର, ନହେଲେ ଏକାଉଣ୍ଟ୍ ବନ୍ଦ ହେଇଯିବା। ଥରେ ଏକାଉଣ୍ଟ୍ ବନ୍ଦ ହୋଇଗଲେ ପୁନଃ କାର୍ଯ୍ୟକ୍ଷମ କରିବାକୁ ଫାଇନ୍ ଲାଗିବ । ବ୍ୟାଙ୍କ୍ ଜମାକାରୀଙ୍କୁ ଏଭଳି ଭୟ ଦେଖାଇ ସାଇବର୍ ଲୁଟେରା ଅନୁଗୁଳ ସହରଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଲୁଟି ନେଇଛି । ଲୁଟର ସମ୍ମୁଖୀନ ହୋଇଥିବା ଜମାକାରୀ ଏ ନେଇ ଥାନାରେ ଏତଲା ଦେବା ପରେ ପୁଲିସ କେସ୍ ରୁକୁ କରି ଅନୁସନ୍ଧାନ ଚଳାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଅନୁଗୁଳ ଶିମିଳିପଡ଼ାରେ ରହୁଥିବା ସତ୍ୟବାନ ବେହେରା (୫୫)ଙ୍କର ଏସବିଆଇ ଶାଖାରେ ଜମାଖାତା ରହିଛି। ମଙ୍ଗଳବାର ତାଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା । ନିଜକୁ ବ୍ୟାଙ୍କ ଅଧିକାରୀ ପରିଚୟ ଦେଇ କେୱାଇସି ଅପଡେଟ୍ କରିନେବାକୁ ସତ୍ୟବାନଙ୍କୁ ପରାମର୍ଶ ଦେଇଥିଲା ସାଇବର ଠକ। ତୁରନ୍ତ କେୱାଇସି ଅପଡେଟ୍ ନହେଲେ ଜମାଖାତା ଅଚଳ ହୋଇଯିବ, ପୁଣି ସଚଳ କରିବାକୁ ଦିନେ ଦୁଇ ଦିନ ଲାଗିବ ଏବଂ ୫ ହଜାର ଟଙ୍କା ଫାଇନ୍ ପଡ଼ିବ ବୋଲି ଠକ ବୁଝାଇଥିଲା । ତେଣୁ କ’ଣ କରିବାକୁ ପଡ଼ିବ ବୋଲି ସତ୍ୟବାନ ପରାମର୍ଶ ଚାହିଁବାରୁ ସେ ବ୍ୟାଙ୍କ ଏକାଉଣ୍ଟ ସମ୍ପର୍କରେ ସବିଶେଷ ତଥ୍ୟ ଚାହିଁଥିଲା । ଠକ କଥାରେ ଭଳି, ସତ୍ୟବାନ ଠିକ୍ ଠିକ୍ କରି ଜମାଖାତା ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିଲେ । ତାଙ୍କ ମୋବାଇଲକୁ ଆସିଥିବା ଓଟିପି (ୱାନ୍ ଟାଇମ୍ ପାସୱାର୍ଡ଼) ବି ଠକକୁ ପ୍ରଘଟ କରିଥିଲେ । ଏହାର କିଛି କ୍ଷଣ ମଧ୍ୟରେ ସତ୍ୟବାନଙ୍କ ଜମାଖାତାରୁ ୨୦ ହଜାର ଟଙ୍କା କଟି ଯାଇଥିବା ଜାଣିବାକୁ ପାଇଥିଲେ । ବୁଝାସୁଝା କରିବାରୁ ସେ ସାଇବର ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିବା ଜାଣିବାକୁ ପାଇଥିଲେ । ରାତିରେ ଏ ନେଇ ଅନୁଗୁଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ କେସ୍ ରୁଜୁ କରି ଅନୁସନ୍ଧାନ ଚଳାଇଛି।

 

Share

Leave a Reply