ଅନୁଗୁଳରେ ଆଲୋଡନ: ୨୨ଟି ହୋଟେଲ ଓ ଉଠା ଦୋକାନର ପାଣି ବ୍ୟବହାର ଅନୁପଯୋଗୀ: ସତର୍କ କଲା ସ୍ବାସ୍ଥ୍ୟ ବିଭାଗ

You are currently viewing ଅନୁଗୁଳରେ ଆଲୋଡନ: ୨୨ଟି ହୋଟେଲ ଓ ଉଠା ଦୋକାନର ପାଣି ବ୍ୟବହାର ଅନୁପଯୋଗୀ: ସତର୍କ କଲା ସ୍ବାସ୍ଥ୍ୟ ବିଭାଗ

ଅନୁଗୁଳ: ରାଜ୍ୟର ଅନେକ ଜିଲ୍ଲାରେ ହଇଜା ବ୍ୟାପିଥିବା ବେଳେ ଅନୁଗୁଳରେ ସ୍ବାସ୍ଥ୍ୟ ସୁରକ୍ଷା କାରଣରୁ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଗତ ୨୦ ତାରିଖ ଦିନ ଅନୁଗୁଳ ପୌରାଞ୍ଚଳର ବିଭିନ୍ନ ଷ୍ଟାର ହୋଟେଲ, ଚାଳିଆ ହୋଟେଲ, ଗୁପଚୁପ ଦୋକାନ ଆଦି ଚଢାଉ କରାଯାଇ ପିଇବା ପାଣିର ନମୂନା ସଂଗ୍ରହ କରାଯାଇଥିଲା ପରୀକ୍ଷାଗାରରେ ଅନୁଧ୍ୟାନ ପରେ ଆଜି ପାଣିର ଟେଷ୍ଟିଂ ରିପୋର୍ଟ ପ୍ରକାଶିତ ହୋଇଛି। ମୋଟ ୩୭ଟି ନମୂନା ସଂଗୃହିତ ହୋଇଥିବା ବେଳେ ୨୨ଟି ନମୂନାର ପାଣି ପିଇବା ଅନୁପଯୋଗୀ ସାବ୍ୟସ୍ତ ହୋଇଛି।

ଅନୁଗୁଳ ପୁରୁଣା ବସଷ୍ଟାଣ୍ଡ, ଅମଲାପଡ଼ା ଠାରୁ ଆରମ୍ଭକରି ବିଭିନ୍ନ ଗଳି କନ୍ଦିରେ ଖୋଲିଥିବା ଚାଳିଆ ହୋଟେଲ, କିଛି ଗୁପଚୁପ୍ ଠେଲାର ପାଣି ମଧ୍ୟ ଦୂଷିତ ପ୍ରମାଣିତ ହୋଇଛି। ଏହି ପାଣିରେ ମାତ୍ରାଧିକ କଲିଫର୍ମ ରହିଥିବା ରିପୋର୍ଟରେ ପ୍ରକାଶିତ ହୋଇଛି। ଏହି କଲିଫର୍ମର ଉପସ୍ଥିତି ରୋଗ ସୃଷ୍ଟିକାରି ଜୀବାଣୁ ଥିବା ନେଇ ପ୍ରମାଣ ଦେଇଥାଏ।ସବୁଠାରୁ  ଗୁରୁତ୍ୱପୂର୍ଣ୍ଣ କଥା ହେଲା କିଛି ଦୋକାନୀ ପି‌ଏଚ୍‌ଡି ଟ୍ୟାପ୍‌ ପାଣି ଲୋକଙ୍କୁ ଦେଉଥିବା ବେଳେ ତାହା ମଧ୍ୟ କଲିଫର୍ମ ପୋଜିଟିଭ ବାହାରିଥିବା ରିପୋର୍ଟରେ କୁହା ଯାଇଛି।

ଏ ନେଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିକାଲ ସୁପରିନଟେଣ୍ଡେଣ୍ଟ ଡ଼ା ମାନସ ରଞ୍ଜନ ବିଶ୍ଵାଳ କହିଛନ୍ତି କି ଏଭଳି ପାଣି ପିଇବା ଦ୍ଵାରା ବ୍ୟକ୍ତିଙ୍କୁ ଜ୍ଵର, ଗ୍ୟାସ, ଝାଡ଼ା,ବାନ୍ତି ଆଦି ହୋଇପାରେ। ଏ ପ୍ରସଙ୍ଗରେ ପୌର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ କହିଛନ୍ତି ଆମେ ଘଟଣାକୁ ଗୁରୁତର ସହ ନେଉଛୁ। ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଶୁଦ୍ଧ ପାଣି ଦେଉ ନଥିବା ହୋଟେଲ ଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦେଇଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ଏଥିନେଇ କଡା ଆଭିମୁଖ୍ୟ ଗ୍ରହଣ କରିବ ବୋଲି କୁହା ଯାଉଛି।

Share

Leave a Reply