ଅନୁଗୁଳ: ଓଡ଼ିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟର ନିଷ୍ପତ୍ତି କ୍ରମେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ (ଏଡିୟୁଜେ) ପକ୍ଷରୁ ୩ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଳଲହଡ଼ା ବିଧାୟକ ଅଶୋକ କୁମାର ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅଜିତ କୁମାର ଧରଙ୍କ ତତ୍ତ୍ଵାବଧାନରେ ସଂଘର କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ସାହୁ, ସାଧାରଣ ସମ୍ପାଦକ ସ୍ଵାଧୀନ କୁମାର ସାମଲ, ଉପଦେଷ୍ଟା ସନ୍ତୋଷ ମିଶ୍ର, ନିରଞ୍ଜନ ନାୟକ ଏବଂ ଜୟନ୍ତ କୁମାର କର, ମାନସ ମହାନ୍ତି, ଜଗନ୍ନାଥ ବେହେରା, ରାଜେଶ ପାତ୍ର, ସୁଧାକର ସାହୁ, ପ୍ରଫୁଲ୍ଲ ସିଂହ, ସୌରଚନ୍ଦ୍ର ସାହୁ ପ୍ରମୁଖ ଦୁଇ ବିଧାୟକଙ୍କୁ ଭେଟିଥିଲେ।
ସେମାନଙ୍କ ଦାବି ହେଉଛି, ଅବସରପ୍ରାପ୍ତ ସାମ୍ବାଦିକଙ୍କୁ ମାସିକ ଅନ୍ୟୁନ ୨୫ ହଜାର ଟଙ୍କା ପେନସନ ପ୍ରଦାନ, ଆଗାମୀ ବିଧାସଭା ଅଧିବେଶନରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ରାଜ୍ୟରେ ସାମ୍ବାଦିକ ଅଧି ସ୍ବୀକୃତି ନିୟମରେ ଆବଶ୍ୟକୀୟ ସଂଶୋଧନ କରାଯାଉ। ଏ ସମ୍ପର୍କରେ ଦୁଇ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।