ଅନୁଗୁଳ: ଫେକ୍ ଆଡମିଟ୍ କାର୍ଡ ପାଇଁ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ୩ ଛାତ୍ରୀ ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି।
ସୂଚନା ମୁତାବକ, ଛେଣ୍ଡିପଦା ସ୍ଥିତ ସାଇ ଶ୍ରଦ୍ଧା ନର୍ସିଂ କଲେଜର ଦ୍ଵିତୀୟ ବର୍ଷର ୩ ଜଣ ଛାତ୍ରୀ ଗଣଧାରଣା ଦେଇଛନ୍ତି। ଜାନୁଆରୀ ୯ ତାରିଖ ଦିନ ନର୍ସିଂ କଲେଜର ଦ୍ଵିତୀୟ ବର୍ଷର ପରୀକ୍ଷା ଥିଲା। ସୁମତୀ ମାହାର, ପ୍ରିୟଙ୍କା ନାଏକ, ଆଶାଞ୍ଜଳି ପଧାନଙ୍କୁ କଲେଜ ପକ୍ଷରୁ ଫେକ୍ ଆଡମିଟ୍ କାର୍ଡ଼ ମିଳିଥିଲା। ଫଳରେ ସେମାନେ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ। ଏହି ୩ ଜଣ ଛାତ୍ରୀ ଏ ଘଟଣା ବିଷୟରେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତା ପରେ ଅନୁଗୁଳ ସଦର ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା।
ଏ ପର୍ଯ୍ୟନ୍ତ କୌଣସି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ଛାତ୍ରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ଏ ନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇ ନଥିଲା।
ଏ ନେଇ ଜିଲ୍ଲା ପ୍ରଶାସନ ୩ ଜଣ ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ତେବେ ଆସନ୍ତା ମାର୍ଚ୍ଚ ୨୭ ତାରିଖ ଦିନ ଏହି ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।