ଅନୁଗୁଳ: କରାଳ କାୟ ମେଲାଇ ଚାଲିଛି କରୋନା। ଅନୁଗୁଳ ଜିଲ୍ଲାର ପ୍ରତିଟି ପ୍ରାନ୍ତକୁ ଭୟଙ୍କର ଭୂତାଣୁ ମାଡି ସାରିଥିବା ବେଳେ ସବୁଠୁ ସମ୍ବେଦନଶୀଳ ସ୍ଥାନ କୁହାଯାଉଥିବା ପର୍ଯ୍ୟବେକ୍ଷଣ ଗୃହରେ ମଧ୍ୟ ପ୍ରବେଶ କରିଛି। ପ୍ରଶାସନର ଢିଲା ମନୋଭାବ ପାଇଁ ପର୍ଯ୍ୟବେକ୍ଷଣ ଗୃହରେ ୩୧ ଜଣ ବାଳ ଅଭିଯୁକ୍ତ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଅନ୍ତେବାସୀଙ୍କଠାରୁ କର୍ତ୍ତୃପକ୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ଘାରିଛି ସଂକ୍ରମଣ ଭୟ । ସବୁଠାରୁ ଉଦ୍ବେଗର ବିଷୟ ହେଲା, ପର୍ଯ୍ୟବେକ୍ଷଣ ଗୃହରେ ଏବେ ଉଛୁଳା ପରିସ୍ଥିତି। ମାତ୍ର ୫୪ ଜଣ ବାଳ ଅଭିଯୁକ୍ତଙ୍କୁ ରଖିବାର କ୍ଷମତା ରଖିଥିବା ପର୍ଯ୍ୟବେକ୍ଷଣ ଗୃହରେ ଏବେ ରହୁଛନ୍ତି ୧୧୩ ଜଣ । ପର୍ଯ୍ୟବେକ୍ଷଣ ଗୃହରେ ସଂକ୍ରମଣ ଭୟ ନେଇ କର୍ତ୍ତୃପକ୍ଷ ବାରମ୍ବାର ଉଚ୍ଚ ଅଧିକାରୀଙ୍କୁ ଜଣାଇଛନ୍ତି। ଅନ୍ତତଃପକ୍ଷେ ପର୍ଯ୍ୟବେକ୍ଷଣ ଗୃହକୁ ଆସୁ ଥିବା ବାଳ ଅଭିଯୁକ୍ତଙ୍କ କରୋନା ପରୀକ୍ଷା ସହିତ ବାହାରେ ୧୪ ଦିନିଆ କ୍ଵାରେଣ୍ଟାଇନ୍ ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ। ମାତ୍ର ପ୍ରଶାସନର ବେପରବାୟ ମନୋଭାବ ପାଇଁ ଏବେ ପର୍ଯ୍ୟବେକ୍ଷଣ ଗୃହରେ ପଶିଛି ଏହି ଅଦୃଶ୍ୟ ଭୂତାଣୁ। ଗୁରୁବାର ୧୧ ଜଣ ଅନ୍ତେବାସୀ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ତାଳଚେର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ୧୦ ଜଣଙ୍କୁ ପର୍ଯ୍ୟବେକ୍ଷଣ ଗୃହରେ ଏକ ପୃଥକ କୋଠରୀରେ ଆଇସୋଲେସନ୍ରେ ରଖାଯାଇଥିଲା ବେଳେ ଶୁକ୍ରବାର ଅନ୍ୟ ୨୦ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
ପର୍ଯ୍ୟବେକ୍ଷଣ ଗୃହରେ ପଶିଲା କରୋନା,୩୧ ବାଳ ଅଭିଯୁକ୍ତ ସଂକ୍ରମିତ
- Post published:May 15, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
